ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ସିମିଳିଆ ଗାଁ ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ପୋଲିସ। ଏହାସହ ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି ଧାରୁଆ କଟୁରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କୋର୍ଟ ଚାଲାଣ କରିଛି ପୋଲିସ।

ସିମିଳିଆ ଗାଁର ପରୀକ୍ଷିତ ସ୍ଵାଇଁ ଓ ତାଙ୍କର ପୁତୁରା ପୁଅ ଦେବ ପ୍ରସାଦଙ୍କ ପରିବାରଙ୍କ ସହିତ ପୁରୁଣା ଜମିବାଡି ବିବାଦ ଲାଗି ରହିଥିଲା। ଏହି କାରଣରୁ ଶୁକ୍ରବାର ସକାଳୁ ପରୀକ୍ଷିତଙ୍କ ପରିବାର, ତାଙ୍କ ଜ୍ଵାଇଁ ଓ ଅନ୍ୟ ଜଣେ ବନ୍ଧୁ ମିଶି ଦେବପ୍ରସାଦଙ୍କ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ।

ଧାରୁଆ କଟୁରୀ ସାହାଯ୍ୟରେ ଦେବପ୍ରସାଦ, ତାଙ୍କ ମା’ କୁସୁମ ଓ ସ୍ତ୍ରୀ ମୀରାଙ୍କୁ ନିର୍ମମ ଭାବେ ହାଣି ଥିଲେ। ସେମାନଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଦେବପ୍ରସାଦଙ୍କ ସମେତ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀମାନେ ଏହି ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଇଥିଲେ।

ସେଠାରେ ଚିକିତ୍ସାଧିନ ଥିବାବେଳେ ବୃଦ୍ଧା କୁସୁମଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଦେବପ୍ରସାଦ ଓ ତାଙ୍କ ପତ୍ନୀ ମୀରାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା।

ପରେ ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ପରୀକ୍ଷିତ ସ୍ଵାଇଁ, ତାଙ୍କ ପତ୍ନୀ ମିନତୀପ୍ରଭା ସ୍ଵାଇଁ, ପୁଅ ଶିବପ୍ରସାଦ ସ୍ଵାଇଁ, ଜ୍ଵାଇଁ କିଶୋର କୁମାର ଜେନା ଓ ତାଙ୍କ ସାଙ୍ଗ ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରିଛି। ଏମାନଙ୍କ ବିରୋଧରେ ପୋଲିସ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨, ୩୪୧, ୩୦୭, ୩୨୬, ୨୯୪, ୫୦୬, ୩୪ ଓ ୨୫ ଆର୍ମସ୍ ଆକ୍ଟର ୨୫ ଧାରାରେ ମାମଲା ରୁଜୁ କରିଛି।

Comment