ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଢ଼େଇ ମାସ ବନ୍ଦ ରହିବା ପରେ ଜୁନ୍‌ ୮ ତାରିଖରୁ ଖୋଲିବ ମଥୁରା ଓ ବୃନ୍ଦାବନ ମନ୍ଦିର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ପ୍ରକ୍ରିୟାରେ ଆମୂଳଚୂଳ ପରିବର୍ତ୍ତନ ପରେ କଟକଣା ସହ ଏହି ଦୁଇ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବ୍ରଜର ପ୍ରସିଦ୍ଧ ଦ୍ଵାରିକାଧୀଶ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଭକ୍ତମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ସେହିଭଳି ମାସ୍କ ଲଗାଇବା ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ କେଶବପୁରାସ୍ଥିତ କେଶବଦେବ ମନ୍ଦିର ପରିଚାଳନା କମିଟିର ସମ୍ପାଦକ କହିଛନ୍ତି ଯେ ମନ୍ଦିର ଖୋଲିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ। ସବୁ ଆବଶ୍ୟକ ନିୟମ ପାଳନ କଲେ ଯାଇ ଶ୍ରଦ୍ଧାଳୁଙ୍କୁ ଭିତରକୁ ଦର୍ଶନ ପାଇଁ ଛଡ଼ାଯିବ ବୋଲି ସେ କହିଛନ୍ତି।

ତେଣେ ବୃନ୍ଦାବନ ସ୍ଥିତ ବାଙ୍କେବିହାରୀ ମନ୍ଦିର ପାଖରେ ଥିବା କୁଞ୍ଜ ଗଳିରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କୁହାଯାଇଛି। ସ୍ଥାନୀୟ ବିଧାୟକ ଓ ଉତ୍ତର ପ୍ରଦେଶ ସଂସ୍କୃତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ଶ୍ରଦ୍ଧାଳୁମାନଙ୍କର ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୁଞ୍ଜ ଗଳିଗୁଡ଼ିକରେ ଅଣ୍ଡର ଗ୍ରାଉଣ୍ଡ କେଵଲିଂ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ସବୁ ଗଳିର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ।

Comment