ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ନୟାଗଡ଼ ବିଜେ ଶ୍ରୀଜଗନ୍ନାଥ ଜୀଉଙ୍କ ହାତୀ ବେଶ ନୀତି ସମ୍ପୂର୍ଣ୍ଣ ହୋଇଛି। ଆଜି ଭୋରରୁ ମନ୍ଦିର ସେବାୟତମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ସୂର୍ଯ୍ୟପୂଜା, ମଙ୍ଗଳ ଆଳତୀ, ପୂଜା ଓ ନୈବେଦ୍ୟ ପରେ ମଙ୍ଗଳାର୍ପଣ, ପହଣ୍ଡି ଆଦି ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ଲାଗି ଦିଅଁ ଦର୍ଶନରେ ଶ୍ରଦ୍ଧାଳୁଙ୍କୁ ରୋକ ଲଗାଯାଇଥିଲା।

ସ୍ନାନବେଦୀରେ ୧୦୮ କଳସ ଜଳରେ ବିଗ୍ରହମାନେ ସ୍ନାନ କରିଥିଲେ। ପରେ ପାଟ୍ଟବସ୍ତ୍ର ଲାଗି ଓ ହାତୀ ବେଶରେ ସଜ୍ଜିତ ହୋଇଥିଲେ। ପୂଜାପଣ୍ଡାମାନେ ବେଦପାଠ କରି ଶ୍ରୀଜୀଉଙ୍କୁ ଦୀପ, ପୁଷ୍ପାଞ୍ଜଳୀ ଓ ଧୂପ ଆଦି ସମର୍ପଣ କରିଥିଲେ। ମଧ୍ୟାହ୍‌ଣରେ ଚତୁର୍ଦ୍ଧାମୂତ୍ତିଙ୍କୁ ଧାଡ଼ି ପହଣ୍ଡିରେ ମନ୍ଦିର ବିଜେ କରାଯାଇଛି।

ସନ୍ଧ୍ୟାରେ ପଟ୍ଟୀ ଦିଅଁ ମନ୍ଦିର ପ୍ରବେଶ କରି ପୂଜା ପ୍ରତିଷ୍ଠା ପାଇବା ପରେ ମଧ୍ୟ ରାତ୍ରିରୁ ଦାରୁ ମୂର୍ତ୍ତି ୧୫ ଦିନ ଧରି ଅଣସର ଗୃହରେ ରହିବେ। ଜୁନ ୨୧ ତାରିଖ ନେତ୍ରୋତ୍ସବ ତିଥିରେ ତିନି ଠାକୁର ନବଯୌବନ ବେଶରେ ଦର୍ଶନ ଦେବେ।

ଏହାର ଦିନକ ପରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନା ମହାମାରି କଟକଣାରୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ବିଶେଷ ନୀତି ଦର୍ଶନ ପାଇଁ କୌଣସି ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳି ନଥିଲା। ଶ୍ରଦ୍ଧାଳୁମାନେ ମନ୍ଦିର ବାହାରୁ ଦର୍ଶନ କରିଥିବା ଦେବୋତ୍ତର ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comment