ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କଟଲାଣ୍ଡ ସମୁଦ୍ର ଭିତରେ ଜାହାଜରେ ଫସିଛନ୍ତି ୪୮ ଜଣ ଭାରତୀୟ। କରୋନା ଲକ୍‌ଡାଉନ୍‌ ପାଇଁ ପ୍ରାୟ ଅଢ଼େଇ ମାସ ହେଲା ଏମାନେ ଜାହାଜ ଭିତରେ ଅଛନ୍ତି। ତୁରନ୍ତ ଭାରତ ଫେରାଇ ନେବାକୁ ଏମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଜାହାଜରେ ଜଣେ ଓଡ଼ିଆ ଯୁବକ ଅଛନ୍ତି। ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେ ଓଡ଼ିଶାଲାଇଭ୍‌ ମାଧ୍ୟମରେ ନିବେଦନ କରିଛନ୍ତି।

ସ୍କଟଲାଣ୍ଡ ସମୁଦ୍ର ଭିତରେ ଫିସିଥିବା ଜାହାଜରେ ଯେଉଁ ଓଡ଼ିଆ ଯୁବକ ଅଛନ୍ତି ତାଙ୍କ ନାଁ ହେଉଛି ଅଭିଷେକ ପାଣିଗ୍ରାହୀ। ତାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗଡ଼ିପଡ଼ା ପଞ୍ଚାୟତର ଦକ୍ଷିଣ ଟାଙ୍ଗିଆପାଲି ଗାଁରେ। ସେ ୨୦୨୦ରେ ଜାହାଜରେ ସେପ୍‌ ଭାବେ ଯୋଗ ଦେଇଥିଲେ।

କରୋନା ପୂର୍ବରୁ ତାଙ୍କ ଜାହାଜ ଭାରତ ଛାଡ଼ିଥିଲା। ହେଲେ ଏହାପରେ କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାରୁ ସେ ଆଉ ଭାରତ ଫେରି ପାରି ନଥିଲେ। ଜାହାଜରେ ହିଁ ଅଛନ୍ତି। ସେମାନଙ୍କୁ ତୁରନ୍ତ ଭାରତ ଫେରାଇ ନେବାକୁ ବ୍ୟବସ୍ଥା କରାଯାଉ ବୋଲି ସେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।

‘‘ଆମେ ୪୮ ଜଣ ଭାରତୀୟ ଏହି ଜାହାଜ ଭିତରେ ଅଛୁ। ଭାରତ ଫେରିବା ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ୍‌ କରିଛୁ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହୋଇଛୁ। ଲଣ୍ଡନ ହାଇ କମିସନର ଏବଂ ସ୍କଟଲାଣ୍ଡରେ ଥିବା ଭାରତୀୟ ଦୂତାବାସକୁ ଜଣାଇଛୁ। ହେଲେ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ। ଆମେ ଆମ ଘରକୁ ଫେରିବାକୁ ଚାହୁଁଛୁ। ଏଥିପ୍ରତି ଭାରତ ସରକାର ଦୃଷ୍ଟି ଦିଅନ୍ତୁ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଅଭିଷେକ ପାଣିଗ୍ରାହୀ।

Comment