ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକ କୋକେନ ଖୋଜିବା ପାଇଁ ଜାହାଜର ତଳ ଭାଗର ଯାଞ୍ଚ କଲେ ସ୍କୁବା ଡାଇଭର।

ପାରାଦୀପ ବନ୍ଦରରେ ଜାହାଜରୁ କୋକେନ ମିଳିବା ଘଟଣାରେ ଏବେ ଜୋରଦାର ତଦନ୍ତ ଜାରି ରହିଛି। କଷ୍ଟମ୍ସ, ଏନସିବି ଅଧିକାରୀମାନେ ଜାହାଜର କର୍ମଚାରୀଙ୍କୁ ଜେରା କରୁଥବାବେଳେ ଜାହାଜର ତଳ ଭାଗରେ କୋକେନ ଖୋଜିବା ପାଇଁ ସ୍କୁବା ଡାଇଭରମାନଙ୍କୁ ନିୟୋଜିତ କରାଯାଇଛି।

ଜାହାଜର ତଳ ଭାଗରେ ଆହୁରି କୋକେନ ମିଳିବାର ସମ୍ଭାବନା ଥିବାରୁ ଏନସିବି ପକ୍ଷରୁ ସ୍କୁବା ଡାଇଭରମାନଙ୍କ ସହାୟତାରେ ଏହାର ଯାଞ୍ଚ କରାଯାଇଛି। ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ତଳ ଭାଗର ଯାଞ୍ଚ କରିଛନ୍ତି। ହେଲେ ସେଠାରୁ ସେମାନଙ୍କୁ କିଛି ମିଳିନାହିଁ।

ଅନ୍ୟପଟେ ଘଟଣାକୁ ୧୧ ଦିନ ବିତିଥିଲେ ମଧ୍ୟ କୋକେନ ଚୋରାଚାଲାଣ ପଛର ମାଷ୍ଟରମାଇଣ୍ଡ ସାମ୍ନାକୁ ଆସି ନାହିଁ। ତେବେ ଜାହାଜର କର୍ମଚାରୀମାନେ ସନ୍ଦେହ ଘେରରେଥିବାରୁ କଷ୍ଟମ୍ସ, ଏନସିବି ଓ ଅନ୍ୟ ସଂସ୍ଥା ସେମାନଙ୍କଠାରୁ ସୁରାକ ପାଇବା ପାଇଁ ତନାଘନା କରୁଛନ୍ତି।

ପାରାଦୀପ ବନ୍ଦରକୁ ଇଣ୍ଡୋନେସିଆରୁ ଆସିଥିବା ‘ଏମଭି ଦେବୀ ପାନାମା’ ନାମକ ଜାହାଜରୁ ଡିସେମ୍ବର ୧ ତାରିଖରେ ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ପ୍ୟାକେଟରେ ଥିବା ସାମଗ୍ରୀ ପାଉଡର ଭଳି ଦେଖାଯାଉଥିଲା। ପରେ ସବୁ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ଥିବା କଷ୍ଟମ୍ସ ଯାଞ୍ଚରୁ ଜଣାପଡ଼ିଥିଲା।

ଜାହାଜଟି ନଭେମ୍ବର ୨୯ ତାରିଖରେ ପାରାଦୀପ ବନ୍ଦରର ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲରେ ଲାଗିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ଏଥିରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ବନ୍ଦରର କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଏହାପରେ ପୋଲିସ, ସିଆଇଏସଏଫ୍, କଷ୍ଟମ୍ସ ବିଭାଗ ଓ ଡଗ୍ ସ୍କ୍ୱାଡ ଉକ୍ତ ଜାହାଜରେ ଚଢ଼ଉ କରି କୋକେନ୍ ଜବତ କରିଥିଲେ।

Tags: #ParadeepPort #Cocaine #Ship #DrugSmuggling #Odisha  

 

Comment