ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜରୁ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ ଜବତ ହୋଇଛି। ଏହି ନିଶା ଦ୍ରବ୍ୟ ‘କୋକେନ୍’ ହୋଇଥିବା ପରୀକ୍ଷା ପରେ ଜଣା ପଡ଼ିଛି। ଏହାର ମୂଲ୍ୟ ୨୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଜାହାଜଟି ପାରାଦୀପରୁ ଡେନମାର୍କ ଅଭିମୁଖେ ଯାଇଥାନ୍ତା।

ପାରାଦୀପ ବନ୍ଦରକୁ ଇଣ୍ଡୋନେସିଆରୁ ଆସିଥିବା ‘ଏମଭି ଦେବୀ ପାନାମା’ ନାମକ ଜାହାଜରୁ ଶୁକ୍ରବାର ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା। ସମସ୍ତ ୨୨ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ଥିବା କଷ୍ଟମ୍ସ ଯାଞ୍ଚରୁ ଜଣାପଡ଼ିଥିଲା।

ଜାହାଜଟି ବୁଧବାର ପାରାଦୀପ ବନ୍ଦରର ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲରେ ଲାଗିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ଏଥିରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ବନ୍ଦରର କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଏହାପରେ ପୋଲିସ, ସିଆଇଏସଏଫ୍, କଷ୍ଟମ୍ସ ବିଭାଗ ଓ ଡଗ୍ ସ୍କ୍ୱାଡ ଉକ୍ତ ଜାହାଜରେ ଚଢ଼ଉ କରିଥିଲେ। ସେଠାରୁ ସେମାନଙ୍କୁ ୨୨ଟି ପ୍ୟାକେଟ ମିଳିଥିଲା। ଜାହାଜରୁ ‘କୋକେନ୍’ ମିଳିଥିବା ସ୍ପଷ୍ଟ ହେବାପରେ ଏହାର ସବୁ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିଲା। ସେମାନଙ୍କୁ ଏ ସମ୍ପର୍କରେ କଷ୍ଟମ୍ସ ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି।

ସେହିପରି ଏବେ ସମ୍ପୂର୍ଣ ଜାହାଜର ତଲାସି ଜାରି ରହିଛି। ଏଥିରୁ ଆହୁରି ନିଶାଦ୍ରବ୍ୟ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ ଜାହାଜରେ କୋକେନ୍ କେଉଁଠୁ ଆସିଲା ଏବଂ ଏହା ପଛରେ କାହାର ହାତ ଅଛି ସେ ବିଷୟରେ ଅଧିକ ଜାଣିବା ପାଇଁ ଏବେ ତଦନ୍ତ ଆରମ୍ଭ ହୋଇଛି।  

Tags: #ParadeepPort #Cocaine #Ship #DrugRacket #Odisha

Comment