ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ ଲାଗିଲା ରଜ କଟକଣା। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ଏହି କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି। ଦିନକୁ ଦିନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ରଜ ସମୟରେ ସାମାଜିକ ଏକତ୍ରୀକରଣ ଦ୍ୱାରା ଏହି ଭାଇରସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ଭାଇରସ୍‌ ବ୍ୟାପିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ ସମସ୍ତ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଏହା ସହିତ ଏକାଠି ହୋଇ ତାସ୍‌ ଖେଳିବା, ରଜ ଦୋଳି ଏବଂ ଅନ୍ୟାନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆସନ୍ତ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ନିୟମର ଉଲ୍ଲଂଘନ କରାଗଲେ ଆଇପିସି ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଗଞ୍ଜାମ, କେନ୍ଦୁଝର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି।

Comment