ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍ସହଯୋଗରେ ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ପ୍ଲସ୍ ମିଳିତ ଅଭିଯାନକେତେ ନୂଆ ବାଟ
  • ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ
  • ଓଡ଼ିଶାର ପ୍ରଥମ କରୋନା ରୋଗୀ, ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଅଂଗେନିଭା କଥା
  • କୋଭିଡ୍ଯୋଦ୍ଧା ସରପଞ୍ଚ ସଫେଇ କର୍ମଚାରୀଙ୍କ ଅନୁଭୂତି
  • ସାମାଜିକ ବାସନ୍ଦ ଓ ଭେଦଭାବ ରୋକିବାକୁ ସରକାର ଓ ୟୁନିସେଫ୍‌ର କାର୍ଯ୍ୟକ୍ରମ

କୋଭିଡ୍‌-୧୯ ମହାମାରୀ ବେଳେ ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ନେଇ ରାଜ୍ୟରେ ଚିନ୍ତା ବଢ଼ିଛି। କରୋନା ସଂକ୍ରମିତ ରୋଗୀ, ପ୍ରବାସୀ ଶ୍ରମଜୀବୀ ବିଭିନ୍ନ ସ୍ଥାନରେ ସାମାଜିକ ବାସନ୍ଦ ଏବଂ ଭେଦଭାବର ଶିକାର ହେଉଥିବାର ଚିତ୍ର ସାମ୍ନାକୁ ଆସୁଛି। କରୋନା ମୁକାବିଲା ପାଇଁ ସରକାର ଲୋକଙ୍କୁ ବ୍ୟାପକ ସଚେତନ କରୁଥିଲେ ମଧ୍ୟ ଅନେକ ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର ହେଉନି। ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଏହି ବିଷୟ ରହିଛି। ଜୁନ୍‌ ୧୪ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେବ।

କରୋନା ରୋଗୀ, ସଫେଇ କର୍ମଚାରୀ, ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ନିଜ ଭିଟାମାଟିକୁ ଫେରୁଥିବା ଲୋକେ କେମିତି ଭେଦଭାବ ଏବଂ ବାସନ୍ଦର ଶିକାର ହେଉଛନ୍ତି ତାହା ରେଡିଓ ଧାରାବାହିକରେ ଏଥର ସ୍ଥାନ ପାଇଛି। ତା’ ଛଡ଼ା, ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ୟୁନିସେଫ୍ ମିଳିତ ଭାବେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ମଧ୍ୟରେ ଏଥିରେ ଉପସ୍ଥାପନ କରାଯାଇଛି। ସାମାଜିକ ବାସନ୍ଦର କାରଣ ଓ ନିରାକରଣ ସହିତ ଏଥିରେ କୋଭିଡ୍‌ ହିରୋଙ୍କ କଥା ମଧ୍ୟ ରହିଛି।

ଓଡ଼ିଶାରୁ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲିରୁ ଫେରିବା ପରେ ତାଙ୍କ ନମୁନାରୁ କରୋନା ପଜିଟିଭ୍‌ ବାହାରିଥିଲା। ଏହା ପରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ଯେତେବେଳେ ଚିକିତ୍ସିତ ହେଉଥିଲେ ତାଙ୍କୁ ନେଇ ଲୋକ ଅନେକ କଟୁ, ଭେଦଭାବପୂର୍ଣ୍ଣ ଏବଂ ଅଶାଳୀନ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ହୋଇଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ ବି ତାଙ୍କୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ରହିଥିଲା। ସେ ସମୟର ମୁହୂର୍ତ୍ତ କେମିତି ଥିଲା ଏବଂ ଲୋକମାନେ ତାଙ୍କୁ ନେଇ କ’ଣ ସବୁ ଆଲୋଚନା କରିଥିଲେ ସେନେଇ ଏହି ରେଡିଓ ଧାରାବାହିକରେ ସେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି।

କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଯିବା ଫଳରେ ଯିଏ ଯେଉଁଠି ଥିଲେ ଘରକୁ ଫେରି ଆସିଥିଲେ। ହେଲେ ସେମାନଙ୍କୁ କେତେକ ଲୋକ କେମିତି ସନ୍ଦେହ ଦୃଷ୍ଟିରେ ଦେଖିଥିଲେ ତା’ର ଉଦାହରଣ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅରଣା ପଞ୍ଚାୟତର ଯୁବକ ଦୀପକ କୁମାର ଜେନା। ଲକ୍‌ଡାଉନ୍‌ ଯୋଗୁଁ ସେ ନିଜ ଜୀବିକା ହରାଇ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ନିଜ ଗାଁକୁ ଫେରି ଆସିଥିଲେ ମଧ୍ୟ ବାଟରେ ଭେଦଭାବପୂର୍ଣ୍ଣ ମନୋଭାବର ସମ୍ମୁଖୀନ ହୋଇଥିଲେ। ସେ ନିଜେ ଭୋଗିଥିବା ସମସ୍ୟାକୁ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ବର୍ଣ୍ଣନା କରିଛନ୍ତି।

କେବଳ ରାଜ୍ୟ ବାହାରୁ ନୁହନ୍ତି, ରାଜ୍ୟ ଭିତରୁ ନିଜ ଗାଁକୁ ଆସୁଥିବା ଅନେକ ଲୋକ ମଧ୍ୟ କରୋନା ବେଳେ ନିଜ ଗାଁ ଓ ପରିଚିତ ଲୋକଙ୍କ ଭେଦଭାବର ପାତ୍ର ପାଲଟିଥିଲେ। ତା’ର ଏକ ଉଦାହରଣ ହେଉଛନ୍ତି ସୋନପୁରର ଅବକାଶ ମିଶ୍ର। ଅବକାଶ ଭୁବନେଶ୍ୱରରେ ରହନ୍ତି। ଲକ୍‌ଡାଉନ୍‌ ହୋଇଯିବାରୁ ସେ ନିଜ ଗାଁକୁ ଚାଲି ଆସିଥିଲେ। ନିଜ ଘରେ ରହିବାର ଦୁଇଦିନ ପରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଆସି ତାଙ୍କ ବିଷୟରେ ପଚାରି ବୁଝିବା ସହ ତାଙ୍କ ଘର ଆଗରେ ହୋମ୍‌ କ୍ୱାରେଣ୍ଟାଇନ ଲାଗି ଷ୍ଟିକର ମାରି ଦେଇଥିଲେ। ଏହା ପରେ ଗାଁ ଲୋକ ଏକାଠି ହୋଇ ତାଙ୍କ ପରିବାରକୁ ଏକ ପ୍ରକାର ଏକଘରିକିଆ କରିଦେଇଥିଲେ। ତାଙ୍କର ଏହି ଦୁଃଖଭରା ଅନୁଭବ ଏହି ରେଡିଓ ଧାରାବାହିକରେ ସ୍ଥାନ ପାଇଛି।

କରୋନା ମୁକାବିଲାରେ ସଫେଇ କର୍ମଚାରୀମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। କରୋନା ମହାମାରୀ ବେଳେ ସଫେଇ କର୍ମଚାରୀମାନେ ମଧ୍ୟ ଅନେକ ଜାଗାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହେଲେ, କୌଣସି ସମସ୍ୟାକୁ ଖାତିର ନକରି ସେମାନେ ନିଜ ନିଜର କର୍ତ୍ତବ୍ୟ କରିଆସିଛନ୍ତି। ଏ ସମ୍ପର୍କରେ ନିଜର ଅଂଗେନିଭା କଥା କହିଛନ୍ତି କଟକ ମହାନଗର ନିଗମର ସଫେଇ କର୍ମଚାରୀ ପ୍ରମିଳା ଦେଈ।

କରୋନାକୁ ନେଇ ଲୋକଙ୍କ ମନରେ କାହିଁକି ଭୟ ରହୁଛି ଏବଂ କ’ଣ ପାଇଁ ସାମାଜିକ ବାସନ୍ଦ ଓ ଭେଦଭାବର କଥା ଉଠୁଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ୟୁନିସେଫ୍‌, ଓଡ଼ିଶାର କମ୍ୟୁନିକେସନ ଫର୍‌ ଡେଭଲପମେଣ୍ଟ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀ ଏବଂ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି। ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ଏ ସଂପର୍କରେ କ’ଣ ସବୁ ପଦକ୍ଷେପ ନେଉଛି ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି।

ଓଡ଼ିଶାରେ କୋଭିଡ୍‌ ମୁକାବିଲାରେ ଯେଉଁ ସଫଳତା ମିଳିଛି ତା’ ଭିତରେ ଦୁଇଟି ପ୍ରମୁଖ କଥା ରହିଛି। ତା’ ହେଉଛି ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ଏବଂ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା। ଏହି ଅଧ୍ୟାୟରେ ‘ପ୍ରବାସୀ ପରିଚାଳନା’ ପ୍ରସଂଗରେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ହଜାର ହଜାର ପ୍ରବାସୀମାନଙ୍କ ସହ ଯୋଗାଯୋଗ, ସେମାନଙ୍କୁ ଆଣିବା ଲାଗି ବ୍ୟବସ୍ଥା କରିବା, ରେଜିଷ୍ଟ୍ରେସନ୍ ଏବଂ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା – ଏସବୁ କଥାକୁ କିପରି ସଫଳତାର ସହ କରାଯାଇପାରିଛି ନିଜ ଅନୁଭୂତିକୁ ନେଇ ସେ ବିଷୟରେ ବର୍ଣ୍ଣନା କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ।

ବାହାର ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରୁଛନ୍ତି। ସେମାନେ ଘର ଠାରୁ ଦୂର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ଏହାର ପରିଚାଳନା ଦାୟିତ୍ୱ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କ ହାତରେ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ସରପଞ୍ଚମାନଙ୍କୁ ସରକାର ଆଗଧାଡ଼ିର କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି। ବାହାରୁ ଆସୁଥିବା ଲୋକଙ୍କୁ ନେଇ ଯଦି ଗାଁରେ ଭେଦଭାବର କଥା ଉଠୁଛି ସେଠି ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ପଞ୍ଚାୟତର ସରପଞ୍ଚ ବିମଳ କୁମାର ସେଠୀ। ଏହି ରେଡିଓ ଧାରାବାହିକରେ ସେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି।

ରବିବାର ସକାଳ ୧୦.୩୦ରେ, କୋଭିଡ୍-୧୯ ସମୟରେ ସାମାଜିକ ବାସନ୍ଦ ଓ ଭେଦଭାବର କାରଣ ଓ ତା’ର ମୁକାବିଲା ପ୍ରସାରିତ ହେବ ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହା ଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଏବଂ ହେଲୋ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ ହେବ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ  ଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେବ।

Comment