ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ହୋଇଛି। ରଥଖଳାରେ ତିନି ରଥରେ କପଡ଼ା ଲାଗି ହୋଇଛି। ଆସନ୍ତାକାଲି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ତିନି ରଥରେ ବିଜେ ହେବ। ଏହାପରେ ତିନି ରଥ ସିଂହଦ୍ୱାର ସମ୍ମୁଖକୁ ଟଣା ହୋଇ ଯାଉଛି କି ନାହିଁ ତାହା ଏପର୍ଯ୍ୟନ୍ତ ସରକାର ସ୍ପଷ୍ଟ କରି ନାହାନ୍ତି।

ଆଜ୍ଞାମାଳ ବିଜେ ହେବା ପରେ ତିନି ରଥ ସିଂହଦ୍ୱାର ନିକଟକୁ ଟଣା ହୋଇଯିବାର ବିଧି ରହିଛି। ଦକ୍ଷିଣ ମୋଡ଼ ହୋଇ ରଥ ରହିବ। ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ହେଲେ ଚଳିତବର୍ଷ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଖଲ ହୋଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରୁ ରଥଯାତ୍ରା ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ଆସିବ।

ଆଜ୍ଞାମାଳ ବିଜେ ହେବା ପରେ ତିନି ରଥ ସିଂହଦ୍ୱାର ଆଗକୁ ନିଆଯାଉଛି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

‘‘ବିଧି ବନ୍ଦ ହେବ ନାହିଁ। ରଥଯାତ୍ରା ବାବଦରେ ଯାହା ନୀତିକାନ୍ତି ଅଛି ସେସବୁ ସମ୍ପନ୍ନ କରାଯିବ। ସକାଳଧୂପ ଶେଷ ହେବା ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ପୂଜାମଣ୍ଡା ଆଜ୍ଞାମାଳ ନେଇ ଆସିବେ। ରଥରେ ଏହି ଆଜ୍ଞାମାଳ ବିଜେ କରାଇବେ। ଏହାପରେ ରଥ ସିଂହଦ୍ୱାର ସମ୍ମୁଖକୁ ଯିବ କି ନାହିଁ ତାହା ରାଜ୍ୟ ସରକାର ବୁଝିବେ’’, ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ।

ଜୁନ୍‌ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଧାର କରି ରଥଖଳାରେ ରଥ ନିର୍ମାଣ ଚାଲିଥିଲା। ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଅଟକି ନଥିଲା।

Comment