ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଚାଲିଛି ମାରାଥନ ବୈଠକ। ରଥଯାତ୍ରା ସୁରୁଖୁରୁରେ ହେବାନେଇ ଆଲୋଚନା।

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିରାଜମାନ କରି ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ କେମିତି ରଥଯାତ୍ରା ପାଳନ ହେବ ତାକୁନେଇ ପୁରୀରେ ମାନସମନ୍ଥନ ଚାଲିଛି। କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେମିତି ଆୟୋଜନ କରାଯିବ ସେନେଇ ଆଜି ଦିନ ତମାମ୍‌ ତୁହାକୁ ତୁହା ବୈଠକ ଚାଲିଛି।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ପ୍ରଥମେ ବସିଥିଳା ବୈଠକ। ଏଥିରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ରଥଯାତ୍ରା ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ହେଲେ ସେତେବେଳକୁ ସୁପ୍ରିମକୋର୍ଟଙ୍କ ଅନୁମତି ଆସି ନଥିବାରୁ କିଛି ନିଷ୍ପତ୍ତି ହୋଇପାରିନଥିଲା।

ସୁପ୍ରିମକୋର୍ଟ ରଥଯାତ୍ରାକୁ ସବୁଜ ସଙ୍କେତ ଦେବା ପରେ ପୁଣି ବସିଥିଲା ପ୍ରଶାସନିକ ଅଧିକାରୀମାନଙ୍କ ବୈଠକ। ଏଥିରେ ସାମିଲ ହୋଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ। ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ରଥଯାତ୍ରା ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହାସହ ରଥଯାତ୍ରା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସୂଚନା ଦେଇଥିଲେ।

ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରାକୁ ନେଇ ସମୀକ୍ଷା ବୈଠକ କରୁଛନ୍ତି। ଭିଡିଓ କନଫରେନ୍ସିଂରେ ଏହି ବୈଠକ ଚାଲିଛି। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏବଂ ଛତିଶା ନିଯୋଗ ବୈଠକ ବସିବ। ଏହି ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯିବ। ଆସନ୍ତାକାଲି କେତେବେଳେ କ’ଣ ହେବ ଏବଂ କେତେ ସେବାୟତ ନିୟୋଜିତ ହେବେ ସେନେଇ ଆଲୋଚନା କରାଯିବ।

Comment