ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୟାଗଡ଼ ଜିଲ୍ଲାରେ ସ୍ଥିତି ଗମ୍ଭୀର
  • ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
  • ଗୋଟିଏ ଦିନରେ ୧୪ ପଜିଟିଭ୍‌
  • ନୟାଗଡ଼ ସହରର ୩ଟି ୱାର୍ଡର ୮ଟି ଲେନ୍ କଣ୍ଟେନମେଣ୍ଟ

କରୋନା ଭୂତାଣୁ ସଂକ୍ରମଣରେ ନୟାଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ମୃତକ ଜଣକ ଜଣେ ଯୁବକ। ସେ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା କୁହାଯାଉଛି। ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଆସନ୍ତାକାଲି ଏ ସମ୍ପର୍କରେ ଜଣାପଡ଼ିବ ବୋଲି କୁହାଯାଉଛି।

ଏପଟେ ଜିଲ୍ଲା ପ୍ରଶାସନ ନୟାଗଡ଼ ସହରର ୩ଟି ୱାର୍ଡର ୮ଟି ଲେନ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଜଣଙ୍କର ମୃତ୍ୟୁ ସୂଚନା ଆସିବା ପରେ ଜିଲ୍ଲା ପ୍ରଶାସନ ପ୍ରଥମ ଥର ପାଇଁ ନୟାଗଡ଼ ସହରରେ ଏଭଳି ପଦକ୍ଷେପ ନେଇଛି। ୨ ନମ୍ବର ୱାର୍ଡର ୪ଟି ଲେନ୍‌, ୧୧ ଓ ୧୨ ନମ୍ବର ୱାର୍ଡର ୪ଟି ଲେନ୍‌କୁ କଣ୍ଟେନମେଣ୍ଟ କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିୟମ ସଂପୃକ୍ତ ଅଞ୍ଚଳରେ ବଳବତ୍ତର ରହିବ।

ଗୋଟିଏ ଦିନରେ ନୟାଗଡ଼ ଜିଲ୍ଲାରେ ୧୪ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ଓଡ଼ଗାଁ ବ୍ଲକ ଅଞ୍ଚଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ଟି ଗାଁ ଏବଂ ଏନଏସିର ୧୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬୨ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୩୧ ଜଣ। ଆଉ ୩୧ ଜଣ ଏବେ ଚିକିତ୍ସାଧିନ ଅଛନ୍ତି।

Comment