ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୨୬)

‘ସଂଜ୍ଞା’ ହେଲା ଗୋଟିଏ ବସ୍ତୁର ନାଁ। ଅନେକ ସମୟରେ ଆମେ ବସ୍ତୁର ଅର୍ଥ ବୋଲି କହିଥାଉ। କିନ୍ତୁ ‘ଆଖୁ’ ର ଅର୍ଥ ହିଁ ଆଖୁ। ଆମେ କହିପାରିବା ଯେ ‘ଆଖୁ’ ଗୋଟିଏ ଗଛ, ଏହାର କାଣ୍ଡରୁ ମିଠାରସ ବାହାରେ, ଏ ରସକୁ ସଂଗ୍ରହ କରି ଚିନି ଗୁଡ ଇତ୍ୟାଦି ତିଆରି କରାହୁଏ।  ତେବେ ମୂଳରୁ ‘ଆଖୁ’ ଶବ୍ଦ ସହ ଗଛ ଓ ମିଠା ଆପାତତଃ ସଂପୃକ୍ତ। ‘ଆଖୁଦଣ୍ଡ’, ‘ଆଖୁଗଛ’ ଓ ‘ଆଖୁରସ’ – ଏ ସବୁ ‘ଆଖୁ’ ଶବ୍ଦର ସୂଚକ ବସ୍ତୁ। ପୁରାତନ ସମୟରେ ‘ଆଖୁ’ କହିଲେ ଆଖୁଗଛ ହିଁ ବୁଝାଯାଉଥାଇପାରେ। ତା’ ହେଲେ ଆଖୁ ସହିତ ମିଠାର ସଂପର୍କ କ’ଣ? ମିଠା ଓ ଖଟା ଭିତରେ ଫରକ କ’ଣ? ଏହା ହେଲା ଆମର ଇନ୍ଦ୍ରିୟଗତ ଜ୍ଞାନ। ଇନ୍ଦ୍ରିୟମାନଙ୍କର ‘ଯୋଗ୍ୟତା’ ଯୋଗୁଁ ଆମେ ରୂପ, ରସ, ସ୍ୱର, ଗନ୍ଧ, ସ୍ପର୍ଶ ଓ ସ୍ଵାଦ ବାରିପାରୁ ଏବଂ ବୁଝିପାରୁ। ଏ ‘ଯୋଗ୍ୟତା’ ଏକ ଅନୁଶୀଳନ ଜ୍ଞାନ, ବହୁତ ପରେ ଆବିଷ୍କୃତ ହେଲା।

ଯେହେତୁ ‘ଆଖୁ’ ଶବ୍ଦ ଭିତରେ ମିଠାସ୍ଵାଦ ନିହିତ ରହିଛି, ଆମକୁ ଏ ଇନ୍ଦ୍ରିୟଗତ ସ୍ଵାଦରୁ ଶବ୍ଦର ଉତ୍ପତ୍ତି ଆଡକୁ ଯିବାକୁ ହେବ। ଶବ୍ଦର ମୌଳିକ ରୂପ ହେଲା ‘ଧ୍ଵନି’। ବସ୍ତୁର ଗୁଣକୁ ଇନ୍ଦ୍ରିୟ ଜରିଆରେ ନିରୂପଣ କରି ଆତ୍ମଗତ ଜ୍ଞାନକୁ ଅନ୍ୟ ଆଗରେ ପ୍ରକାଶ କରାଇବାର ପଦ୍ଧତି ହେଲା ଧ୍ଵନି। ଧ୍ଵନି ପ୍ରକାଶର ଯନ୍ତ୍ର ଆମ ଶରୀରର ଏକ ପ୍ରଧାନ ଅଙ୍ଗ। ଶୋକ, ହାସ୍ୟ, ବୀଭତ୍ସ, ବିସ୍ମୟ ଇତ୍ୟାଦି ଭାବରେ ଧ୍ଵନି ପ୍ରକାଶ ମନୁଷ୍ୟର ସ୍ଵାଭାବିକ ରୀତି। କିନ୍ତୁ ବସ୍ତୁ ନିରୂପଣର ପ୍ରକାଶ ଧ୍ଵନି ଅଲଗା। ଏ ଧ୍ଵନି ବସ୍ତୁ ଦ୍ଵାରା ନିୟନ୍ତ୍ରିତ ହୁଏ ବୋଲି ଆମେ କହିପାରୁ, ଯଦିଓ ଏ ବିଷୟର ଗବେଷଣା ଏ ପର୍ଯ୍ୟନ୍ତ ହୋଇନାହିଁ, ଏହା ମଧ୍ୟ ସହଜସାଧ୍ୟ ନୁହେଁ।

ଏହି ପ୍ରକାର ବିଭିନ୍ନ ଧ୍ଵନିରୁ ପୃଥିବୀରେ ମନୁଷ୍ୟର ଯୋଗାଯୋଗ ପାଇଁ ପ୍ରଥମ ଭାଷାର ସୃଷ୍ଟି। ଏ ଭାଷାର ନାଁ ଆମେ କହିପାରିବା ନାହିଁ, କିନ୍ତୁ ଭାଷାର ମୂଳ ଅଙ୍ଗମାନଙ୍କୁ ଆମେ ଚିହ୍ନିପାରିବା। ଏ ପ୍ରକାର ଚିହ୍ନଟ ବହୁତ ପରେ ହେଲା। କେତେ ହଜାର ବର୍ଷ ହେବ, ତାର କଳନା ନାହିଁ। ଏହି ଧ୍ଵନିଗତ ଅଙ୍ଗମାନଙ୍କୁ ବୈୟାକରଣିକମାନେ ‘ବର୍ଣ୍ଣ’ ବୋଲି ନାଁ ଦେଲେ। ଏ ନାମକରଣ ଖ୍ରୀଷ୍ଟପୂର୍ବ ଏକହଜାର ବର୍ଷ ବେଳକୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଅଛି।

ଏ ବର୍ଣ୍ଣ ନିର୍ଣ୍ଣୟ ବେଦପାଠରୁ ଆବିଷ୍କାର ହେଲା। ମୌଖିକ ଭାବରେ ବେଦସାହିତ୍ୟ ବହୁକାଳରୁ ପ୍ରଚଳିତ ହୋଇଆସୁଥିଲା। ଜୀବନନିର୍ବାହର ପଥଦର୍ଶୀ ଭାବରେ ବେଦ ପିଢିରୁ ପିଢି ଗଡି ଆସୁଥିଲା। ଆଂଶିକ ବେଦପାଠ ବିବର୍ଜିତ ଥିଲା। ଯାହା ବୁଝାଯାଉ ପଛକେ, ସମସ୍ତ ବେଦ ଆମୂଳଚୂଳ ପାଠ ଆବଶ୍ୟକ ବୋଲି ଧର୍ମମତ ଥିଲା। ଏହି ପାଠକୁ ଲକ୍ଷ୍ୟ କରି କେହି ବୈଜ୍ଞାନିକ ବୈୟାକରଣିକ ବିଭିନ୍ନ ଧ୍ଵନିର ପୁନରାବୃତ୍ତି ଚିହ୍ନଟ କଲେ। ଏହି ପୁନରାବୃତ୍ତି ଚିହ୍ନଟମାନେ ହେଲେ ‘ବର୍ଣ୍ଣ’।

ଏପରି ଚିହ୍ନଟ ବିଜ୍ଞାନସମ୍ମତ ବୋଲି ଆମର ଧାରଣା। କିନ୍ତୁ ଏ ସଂପର୍କରେ ଆମର ଐତିହାସିକ ଜ୍ଞାନ ନାହିଁ ବା କୌଣସି ପୁସ୍ତକ ନାହିଁ। ଭାରତବର୍ଷରେ ସ୍ଵାସ୍ଥ୍ୟରକ୍ଷା ପାଇଁ ଶରୀରଗତ ଜ୍ଞାନର ପ୍ରଚଳନ ଥିଲା ବୋଲି ପ୍ରମାଣ ମିଳୁଛି। ମଣିଷର କଥା କହିବା ଶକ୍ତି ସହିତ ତା’ର ପ୍ରାଣର ସଂପର୍କ ଭାରତବର୍ଷର ଦାର୍ଶନିକ ତତ୍ତ୍ଵର ଏକ ମୂଳଭିତ୍ତି। ଯେହେତୁ ଜୀବଜନ୍ତୁ ବା ଗଛଲତା କଥା କହିପାରନ୍ତି ନାହିଁ, ମନୁଷ୍ୟ ଜନ୍ମ ଅନ୍ୟ ପ୍ରାଣୀମାନଙ୍କଠରୁ ସ୍ଵତନ୍ତ୍ର ଏବଂ ଅଗ୍ରଗଣ୍ୟ ବୋଲି ମତବାଦର ପ୍ରମାଣ ରହୁଛି। ଆମର ବାଚକ ଶକ୍ତି ହିଁ ଆମର ପ୍ରାଣ ଏବଂ ଏ ଶକ୍ତିରୁ ଆମର ସୃଷ୍ଟି। ଏ ଶକ୍ତିକୁ ଉପନିଷଦରେ ବାକ୍ ବୋଲି କୁହାଯାଇଅଛି। ଆମ ପୁରୁଣା ଓଡ଼ିଆ ସଂସ୍କୃତିରେ ଏ ହେଲା ଆମ ଠାକୁରାଣୀ ମା’।

ଏହି ବାକ୍ ଶକ୍ତି ଜରିଆରେ ଆମର ଇନ୍ଦ୍ରିୟମାନେ ଜାଗୃତ ହେଉଛନ୍ତି ଏବଂ ଆମେ ବସ୍ତୁର ରୂପ, ସ୍ଵର, ଗନ୍ଧ, ସ୍ପର୍ଶ ଓ ସ୍ଵାଦ ଗ୍ରହଣ କରି ବସ୍ତୁର ବସ୍ତୁତ୍ଵ ନିରୂପଣ କରୁଛୁ। ଏ ସମସ୍ତେ ମିଳିତ ଭାବରେ ବସ୍ତୁ ବାବଦରେ ଆମ ଠାରେ ଧ୍ଵନି ସୃଷ୍ଟି କରୁଛନ୍ତି। ଏ ଧ୍ଵନି ଭିତରେ ବସ୍ତୁର ସବୁ ଗୁଣ ଆବଦ୍ଧ ହୋଇ ରହୁଛି। ତେଣୁ ଏ ଧ୍ଵନି ଶୁଣିବା ବେଳେ ଆମେ ବସ୍ତୁର ପ୍ରାକୃତିକ ଅବସ୍ଥା କଳନା କରି ପାରୁଛୁ।

ବେଦର ବାଣୀ ସରସ୍ଵତୀ ବାକ୍ର ଧାତ୍ରୀ। ବାକ୍ ଜରିଆରେ ଦେବୀ ସରସ୍ୱତୀ ଶରୀର ମାଧ୍ୟମରେ ‘ସଂଜ୍ଞା’ର ଧାତ୍ରୀ।  ଏହି ଦେବୀ ଆମର ଶକ୍ତି, ଯାହା ଦ୍ଵାରା ଆମେ ବସ୍ତୁର ଗୁଣ ନିରୂପଣ କରିଥାଉ।

LEAVE A REPLY

Please enter your comment!
Please enter your name here