ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୩୯ ବର୍ଷ ବୟସରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ

ବିଶ୍ୱ କ୍ରିକେଟରେ ସେ ହେଉଛନ୍ତି କ୍ୟାପଟେନ୍ କୁଲ୍‌। କେହି କେହି ତାଙ୍କୁ ବେଷ୍ଟ ଫିନିସରର ଆଖ୍ୟା ମଧ୍ୟ ଦେଇଛନ୍ତି। ପ୍ରଂଶସକଙ୍କ ଗ୍ରହଣରେ ସେ ମାହି ନାମରେ ପରିଚିତ।

ରାଞ୍ଚିର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଣେ ଯୁବକ ଦିନେ ଟିମ ଇଣ୍ଡିଆର କ୍ୟାପଟେନ୍ ହେବ, ତା କେହି ବି ଭାବିନଥିବେ। ହେଲେ ତାଙ୍କରି ନେତୃତ୍ୱରେ ଭାରତ ତିନି ତିନିଟି ଆଇସିସି ଟ୍ରଫି ହାତେଇଥିଲା।

ଟିମ୍ ଇଣ୍ଡିଆର ଜଣେ ସଫଳ ଅଧିନାୟକ ଭାବେ ଧୋନୀ ନିଜକୁ ପ୍ରମାଣିତ କରିପାରିଥିଲେ। ତାଙ୍କରି କ୍ୟାପଟେନସିପରେ ଭାରତ ୨୦୦୭ ଟି-୨୦ ୱାର୍ଲ୍ଡକପ୍, ୨୦୧୧ର ବିଶ୍ୱକପ୍ ଏବଂ ୨୦୧୩ ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

୧୯୮୧ ମସିହାର ଜୁଲାଇ ୭ ତାରିଖରେ ରାଞ୍ଚିରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧୋନୀ। ସ୍କୁଲ ସମୟରେ ସେ ଫୁଟବଲ ଆଉ ବ୍ୟାଡମିଣ୍ଟନ ଖେଳିବାକୁ ଭଲ ପାଉଥିଲେ। ହେଲେ ଫୁଟବଲ ଖେଳର ଗୋଲ କିପିଂରୁ ସେ କ୍ରିକେଟ ଖେଳର କିପିଂ ଗ୍ଲୋବସ ପିନ୍ଧିଥିଲେ। ଯେଉଁଠାରୁ ତାଙ୍କର କ୍ରିକେଟ୍ ଜୀବନ ଆରମ୍ଭ ହୋଇଥିଲା।

୨୦୦୪ ମସିହା ଡିସେମ୍ବର ୨୩ ତାରିଖ, ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆାରେ ଖେଳିବାକୁ ସୁଯୋଗ ପାଇଥିଲେ ମାହି। ହେଲେ ସେହି ମ୍ୟାଚରେ ହିଁ ସେ ଜିରୋରେ ହିଁ ରନଆଉଟ ହୋଇଯାଇଥିଲେ।

ଜିରୋରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମାହି ସମୟ ଗଡ଼ିବା ସହ ଟିମ୍ ଇଣ୍ଡିଆର ହିରୋ ହୋଇଯାଇଥିଲେ।

୨୦୦୭ ମସିହାରେ ଧୋନୀଙ୍କ ନେତୃତ୍ୱରେ ଭାରତ ଟି-୨୦ ୱାର୍ଲ୍ଡକପ୍ ଖେଳିବାକୁ ସାଉଥ ଆଫ୍ରିକା ଯାଇଥିଲା। ଯେଉଁଥିରେ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ବିଶ୍ୱବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫିକୁ ତୋଳି ଧରିଥିଲେ ଧୋନୀ।

୨୦୦୮ ମସିହାରେ ଧୋନୀ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ଟେଷ୍ଟରେ ମଧ୍ୟ ଧୋନୀଙ୍କ ଜଲୱା ଦେଖିବାକୁ ମିଳିଥିଲା। ତାଙ୍କରି କ୍ୟାପଟେନସିପରେ ଭାରତ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ରାଙ୍ଗିଙ୍ଗର ଟପରେ ପହଞ୍ଚିପାରିଥିଲା।

ଏଥିସହ ଧୋନୀଙ୍କ ନେତୃତ୍ୱରେ ଭାରତ୨୦୧୦ ଏସିଆ କପ୍ ଚାମ୍ପିୟନ ମଧ୍ୟ ହୋଇଥିଲା।

ଏହାପରେ ଆସିଥିଲା ୨୦୧୧ ବିଶ୍ୱକପର ସମୟ, ବୀରେନ୍ଦ୍ର ସେହ୍ୱାଗ, ସଚ୍ଚିନ ତେନ୍ଦୁଲକର୍, ଯୁବରାଜ ସିଂହ, ଗୌତମ ଗମ୍ଭୀରଙ୍କ ଭଳି ତାରକା ବ୍ୟାଟ୍ସମ୍ୟାନଙ୍କ ସହ ଘରୋଇ ମାଟିରେ ବିଶ୍ୱକପ୍ ଖେଳିଥିଲା ଭାରତ। ଯାହାର ନେତୃତ୍ୱ  ନେଉଥିଲେ କ୍ୟାପଟେନ୍ କୁଲ୍ ମାହି। ଆଉ ସେହି ବିଶ୍ୱକପରେ ଧୋନୀ ଯାହା କରିଦେଖାଇଲେ ତାକୁ ପ୍ରତ୍ୟେକଟି ଭାରତବାସୀ ଅନେଇ ବସିଥିଲେ। ୨୮ ବର୍ଷ ପରେ ଭାରତ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା। କପିଳ ଦେବଙ୍କ ପରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜୟୀ ହୋଇଥିଲା।

ଏତିକିରେ କିନ୍ତୁ ଧୋନୀଙ୍କ ରେକର୍ଡ ଭରା କ୍ୟାରିଅର ଶେଷ ହୋଇନଥିଲା। ୨୦୧୩ରେ ଇଂଲଣ୍ଡରେ ଆୟୋଜିତ ହୋଇଥିଲା ଚାମ୍ପିୟନ ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଟିମ୍ ଇଣ୍ଡିଆ ମଙ୍ଗ ଧରିଥିଲେ ମାହି। ତାଙ୍କରି ନେତୃତ୍ୱରେ ଭାରତ ଚାମ୍ପିୟନ ଟ୍ରଫି ମଧ୍ୟ ହାତେଇଥିଲା। ଆଉ ଏଥିସହ ପ୍ରଥମ ଅଧିନାୟକ ଭାବେ ଧୋନୀ ତିନୋଟି ଯାକ ଆଇସିସି ଟ୍ରଫି ଜିତିପାରିଥିଲେ।

୨୦୧୪ ମସିହା ଡିସେମ୍ବର ୨୬ ତାରିଖ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ ମାହି ହେଲେ ପୂର୍ବଭଳି କିନ୍ତୁ ଲିମିଟେଡ୍ ଓଭର କ୍ରିକେଟରେ ଖେଳ ଜାରି ରଖିଥିଲେ।

୨୦୧୫ ମସିହାରେ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ବିଶ୍ୱକପ୍ ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା। ଯେଉଁ କାରଣରୁ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା।.

ଏହାପରେ ୨୦୧୭ ଜାନୁଆରୀ ମାସରେ ଧୋନୀ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଥିଲେ। ଏହାପରଠୁ ସେ କୋହଲିଙ୍କ ନେତୃତ୍ୱରେ ଖେଳିଆସୁଛନ୍ତି।

ଧୋନୀ ତାଙ୍କ କ୍ୟାରିଅର ଭିତରେ ଟିମ୍ ଇଣ୍ଡିଆକୁ ତିନି ତିନୋଟି ଆଇସିସି ଟ୍ରଫି ଦେବା ସହିତ, ଦୁଇଥର ଏସିଆ କପ୍ ଚାମ୍ପିୟନ ଓ ଟେଷ୍ଟରେ ନମ୍ବର ୱାନ ଦଳ କରିପାରିଥିଲେ। ଯେଉଁ କାରଣରୁ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ମତରେ ଧୋନୀଥିଲେ ତାଙ୍କ କ୍ୟାରିଅରର ଶ୍ରେଷ୍ଠ ଅଧିନାୟକ।

Comment