ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦୀର୍ଘ ଦେଢ଼ ମାସ ପରେ ସୁଦୂର ସାଉଦି ଆରବରୁ ଗାଁକୁ ଫେରିଲା ଶ୍ରମିକଙ୍କ ଶବ। ଲକଡାଉନ୍ ଲାଗି ପରିବାର ଲୋକେ ଶେଷଦର୍ଶନ କରିବାର ଆଶା ହରାଇ ସାରିଥିବାବେଳେ କିଛି ସ୍ଵେଚ୍ଛାସେବୀ ଏବଂ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ତାଙ୍କ ମରଶରୀର ଗାଁକୁ ଫେରିପାରିଛି। ଏଭଳି ଘଟଣା ଘଟିଛି ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତର ହରିକୁଣ୍ଡବରଡ଼ି ଗ୍ରାମରେ।

ହରିକୁଣ୍ଡବରଡ଼ି ଗ୍ରାମର ବାବୁଲା ଜେନା ଗତ ନଅ ବର୍ଷ ହେଲା ସାଉଦି ଆରବସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଗତ ମେ ୨୪ ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ବାବୁଲାଙ୍କ ମୃତ୍ୟୁ ଖବର ପରିବାରକୁ ଜଣାଇଥିଲେ। କମ୍ପାନୀ ତରଫରୁ ଏ ବିଷୟରେ କିଛି ସ୍ପଷ୍ଟ ନ ହେବାରୁ ବାବୁଲାଙ୍କ ସାନଭାଇ ରାଜୁ ସମାଜସେବୀ ଲଲାଟେନ୍ଦୁ ଶତପଥୀଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ପରିବାର ପାଖେ ପାସପୋର୍ଟ ନମ୍ବର ତଥା ଭିସା କାଗଜ ନଥିବାରୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା।CGU newକମ୍ପାନୀର ବିଭିନ୍ନ ଲୋକଙ୍କ ସହ କଥା ହୋଇ ପୁରୁଣା ପାସପୋର୍ଟ ନମ୍ବର ମିଳିବା ପରେ ସାଉଦି ଆରବରେ ହେଇଥିବା ତାଙ୍କ ନୂଆ ପାସପୋର୍ଟ ନମ୍ବର ମିଳିପାରିଥିଲା। ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମଦତ୍ ବିଭାଗରେ ଲଲାଟେନ୍ଦୁ ଏକ କେସ ମଧ୍ୟ ରୁଜୁ କରିଥିଲେ। କିନ୍ତୁ ଲକଡାଉନ୍ ଫଳରେ ବେଶି କିଛି ସହଯୋଗ ମିଳିପାରିନଥିଲା।

ଲଲାଟେନ୍ଦୁଙ୍କୁ ପୁରୀର ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟ କରୁଥିବା ବାଣପୁର ଚମ୍ପାଦେଇପୁରର ବାବୁଲି କୁମାର ସାହୁ ସହଯୋଗର ହାତ ବଢ଼ାଇଥିଲେ। ବାବୁଲି ତାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଭାରତୀୟ ଦୂତାବାସ ସହ ସମ୍ପର୍କ କରି ହୃଦଘାତରେ ବାବୁଲାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲେ। ଅନେକ ଚେଷ୍ଟା ପରେ କାର୍ଗୋ ବିମାନରେ ସାଉଦି ଆରବ ହମ୍ମାମରୁ ଗତ ୫ ତାରିଖରେ ବାବୁଲାଙ୍କ ଶବକୁ ଭୁବନେଶ୍ଵର ଅଣାଯାଇଥିଲା। ସେଠାରୁ ଗତ ୧୦ ତାରିଖରେ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ଗାଁକୁ ନିଆଯାଇଥିଲା। ଶୋକାକୋଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ କୋଭିଡ ନିୟମାବଳୀ ଅନୁସାରେ ଶବ ସତ୍କାର କରାଯାଇଛି।

Comment