ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ ଜଳସେଚନ ପ୍ରଣାଳୀ।  ଏହି ପ୍ରଣାଳୀରେ ଗଛକୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳର ପରିମାଣ ଗଛର ବ୍ୟବହାରିକ ଜଳ ସଙ୍ଗେ ପ୍ରାୟେ ସମାନ ହୁଏ।

ବୁନ୍ଦା ଜଳସେଚନ ଦ୍ୱାରା ସାଧାରଣତଃ ଫସଲ ଅମଳରେ ୩୦ ଶତକଡ଼ାରୁ ୨୦୦ ଶତକଡ଼ା ପର୍ଯ୍ୟନ୍ତ ବୃଦ୍ଧି ଘଟିଥାଏ। ପାରମ୍ପରିକ ଜଳସେଚନ ଦ୍ୱାରା ବହୁଳ ମାତ୍ରାରେ ଜଳ ନଷ୍ଟ ହେବାର ସମ୍ଭାବନା ଥାଏ। ଅନବଶ୍ୟକ ସ୍ଥାନରେ  ଜଳସେଚନ ହୁଏ ଏବଂ ଆଉ କିଛି ଜଳ ଅକାରଣରେ ବାଷ୍ପୀଭୂତ ହୋଇଥାଏ। ତେଣୁ ଫସଲରେ ବୁନ୍ଦା ଜଳସେଚନ କରି ଭଲ ଅମଳ ପାଆନ୍ତୁ।

ସାର ସଞ୍ଚୟ କରାଯାଇପାରେ

ବୁନ୍ଦା ଜଳସେଚନ ପଦ୍ଧତିରେ ୩୦ ଶତକଡ଼ାରୁ ୭୦ ଶତକଡ଼ା ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରାଯାଇପାରେ। ପାରମ୍ପରିକ ପଦ୍ଧତିରେ ସାର ପ୍ରୟୋଗ ଦ୍ୱାରା ୩୦ ଶତକଡ଼ାରୁ ୪୦ ଶତକଡ଼ା ପର୍ଯ୍ୟନ୍ତ ସାର ଅଯଥାରେ ନଷ୍ଟ ହୋଇଥାଏ। ମାତ୍ର ବୁନ୍ଦା ଜଳସେଚନ ଜରିଆରେ ତରଳ ଓ ଦ୍ରବୀଭୂତ ସାରକୁ ଯଥା ସମୟରେ ଫସଲରେ ପ୍ରୟୋଗ କରାଯାଇ ସଂପୃକ୍ତ ୩୦ରୁ ୪୦ ଭାଗ ସାର ସଞ୍ଚୟ କରାଯିବା ସହ କୃଷି ଶ୍ରମିକ ନିୟୋଜନର ଆବଶ୍ୟକତାକୁ ବି ଏଡ଼ାଇ ଦିଆଯାଇପାରେ।

ପ୍ରତିଟି ଗଛକୁ ସମାନୁପାତିକ ଜଳସେଚନ ତଥା ଖାଦ୍ୟ ସାର ପ୍ରୟୋଗ ଦ୍ୱାରା ଗଛର ସମାନୁପାତିକ ବୃଦ୍ଧି ଘଟିଥାଏ। ଫୁଲ, ଫଳଗୁଡ଼ିକ ମଧ୍ୟ ସମାନୁପାତିକ ଆକାରରେ ଫଳି ଥାଏ।

ବୁନ୍ଦା ଜଳସେଚନ ଦ୍ୱାରା ରୋଗ ପୋକର ଭୟ ମଧ୍ୟ ବହୁଳ ପରିମାଣରେ କମିଯାଏ।

ଘାସର ପାଦୁର୍ଭାବ କମେ

ବୁନ୍ଦା ଜଳସେଚନ ପଦ୍ଧତିରେ ଗଛର ମୂଳରେ ବୁନ୍ଦା ବୁନ୍ଦା କରି ଗଛର ଆବଶ୍ୟକତା ଅନୁସାରେ ଜଳସେଚନ କରାଯାଉଥିବାରୁ କ୍ଷେତରେ ଅନାବନା ଘାସର ପାଦୁର୍ଭାବ ବହୁଳ ମାତ୍ରାରେ କମି ଯାଏ।

ପାହାଡ଼ିଆ ଜମି ହେଉ ବା ଗଡ଼ାଣିଆ ଜମି, ଉଚ୍ଚା ନିଚା ଜମି ହେଉ ବା ଆବଡ଼ା ଖାବଡ଼ ଜମି ସେଥିରେ ସୁବିଧାରେ ଜଳସେଚନ କରିବାକୁ ଏହି ବୁନ୍ଦା ଜଳସେଚନ ପଦ୍ଧତିରେ କିଛି ବି ସମସ୍ୟା ଉପୁଜେ ନାହିଁ।CGU new

ବୁନ୍ଦା ଜଳସେଚନ ପଦ୍ଧତିରେ ସେଚିତ ହୋଇଥିବା ଜଳ ୯୦ରୁ ୯୫ ଭାଗ ଯଥାର୍ଥରେ ଗଛର ବୃଦ୍ଧି ସହାୟକ ହୋଇଥାଏ।

କୃଷକମାନେ ପାରମ୍ପରିକ ପଦ୍ଧତିରେ ଯେତିକ ଜଳରେ ଗୋଟିଏ ହେକ୍ଟର ଜମିକୁ ଜଳସେଚନ କରୁଥିଲେ ବୁନ୍ଦା ଜଳସେଚନରେ ପଦ୍ଧତିରେ ସେତିକି ଉପଲବ୍ଧ ଜଳରେ ସେମାନେ ଗୋଟିଏ ହେକ୍ଟରରୁ ବହୁ ଅଧିକ ପରିମାଣର ଜମିକୁ ଜଳସେଚନ କରାଇପାରିବେ।

ବୁନ୍ଦା ଜଳସେଚନ ପଦ୍ଧତି ନିମିତ୍ତ କ୍ଷେତରେ ଗଛକୁ ଗଛର ବ୍ୟବଧାନ ଏବଂ ଧାଡ଼ିକ ଧାଡ଼ି ବ୍ୟବଧାନ ଏକ ନିର୍ଦ୍ଦିଷ୍ଟ ଅନୁପାତ ଥିବାରୁ ଫସଲ ଅମଳରେ ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଥାଏ। ଏହାଦ୍ୱାରା କୃଷକ ଭାଇ ଓ ଭଉଣୀମାନେ ବହୁଳ ମାତ୍ରାରେ ଲାଭବାନ ହୋଇଥାନ୍ତି।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment