(ଓଡ଼ିଶାଲାଇଭ୍‍ ବ୍ୟୁରୋ)

  • ଗବେଷଣା କରିବାକୁ ନାହାନ୍ତି ବୈଜ୍ଞାନିକ
  • କମି ଗଲେଣି କର୍ମଚାରୀଙ୍କ ସଂଖ୍ୟା
  • ଚାଷୀଙ୍କୁ ମିଳୁନି ଉନ୍ନତମାନର ନଳିତା ବିହନ
  • ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କେନ୍ଦ୍ରାପଡ଼ା (ଆଳୟ ସାମନ୍ତରାୟ): ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ାର ଜଜାଙ୍ଗ ଝୋଟ ଗବେଷଣା କେନ୍ଦ୍ର। ଏହି ଗବେଷଣା କେନ୍ଦ୍ରଟି ଚାଷୀଙ୍କ କାମରେ ଆସୁ ନଥିବାରୁ ଝୋଟ ଚାଷରୁ ମୁହଁ ଫେରାଉଛନ୍ତି ଅଞ୍ଚଳବାସୀ। ଫଳରେ କେନ୍ଦ୍ରାପଡ଼ା ାଞ୍ଚଳରେ ଝୋଟ ଚାଷ ବୁଡ଼ିଯିବାକୁ ବସିଛି।

ଦିନଥିଲା ୬ କିଷମର ନଳିତା ବିହନ ଉଭାବନ କରୁଥିଲା ଏହି ଗବେଷଣା କେନ୍ଦ୍ର। ହେଲେ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଏହି କେନ୍ଦ୍ର ଉପରୁ ଚାଷୀ ଆସ୍ଥା ହରାଇଲେଣି। ବିପଦପୂର୍ଣ୍ଣ ଆଜବେଷ୍ଟସ୍ ଘରେ ଗବେଷଣା କେନ୍ଦ୍ରଟି ଚାଲିଛି। କର୍ମଚାରୀଙ୍କ ଅଭାବ ଥିବାରୁ ଏଠରେ ଅଉ ଗବେଷଣା ହୋଇପାରୁନାହିଁ।

୩୪ ବର୍ଷ ତଳେ କେନ୍ଦ୍ରାପଡ଼ା ସହର ନିକଟ ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ୩୪ ଏକର ଜମି ଏବଂ ୩୪ ଜଣ କର୍ମଚାରୀଙ୍କୁ ନେଇ ଏହି ଗବେଷଣା କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିଥିଲା। ଉନ୍ନତ ଓ ଅଧିକ ଅମଳକ୍ଷମ ନଳିତା ବିହନ ଉଦ୍ଭାବନ କରିବା ଏହି ଗବେଷଣା କେନ୍ଦ୍ରର ମୂଳ ଲକ୍ଷ୍ୟ ଥିଲା।

ବିଗତ ଦିନରେ ଟଜୟଦେବ, ବଳଦେବ, ମହାଦେବ, ରେବତୀ, ଶ୍ରେଷ୍ଠା ଓ ଶାନ୍ତି ପରି ୬ କିଷମର ବିହନ ଉଭାବନ କରି ଏହି ଗବେଷଣା କେନ୍ଦ୍ରଟି ନଳିତା ଚାଷ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲା। ରୋଗପୋକ ନିୟନ୍ତ୍ରଣ ଏବଂ ଫସଲ ପରିଚାଳନା ସଂପର୍କରେ କେନ୍ଦ୍ର ତରଫରୁ ଗବେଷାଣା ଜାରି ରହିଛି।  ଏଠାରେ ଆଦିବାସୀ ସଂପ୍ରଦାୟ  ବିକାଶ ପାଇଁ ‘ଟ୍ରାଇବାଲ ସବ୍-ପ୍ଲାଂଟ’ ନାମକ ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଆଦିବାସୀମାନେ ନଳିତା ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି।

ଗବେଷଣା କେନ୍ଦ୍ରର ଗବେଷଣା ଗୃହ ନଥିବା ବେଳେ କର୍ମଚାରମାନଙ୍କ କ୍ୱାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଅଫିସର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା ବେଳେ ନୂତନ ଭାବେ ଏସବୁ ଯୋଗାଇ ଦିଆଯାଉ ନଥିବା ଅଭିଯୋଗ ହେଉଛି। ବହୁ ବୈଜ୍ଞାନିକ ପଦବୀ ମଧ୍ୟ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ଗବେଷଣା କେନ୍ଦ୍ର ସ୍ଥାପନ ହୋଇଥିବା ୩୪ ଏକର ଜମିରୁ ଏବେ କେନ୍ଦ୍ର ପାଖରେ ମାତ୍ର ୫ ଏକର ଜମି ରହିଛି। ବାକି ୨୯ ଏକର ଜମିକୁ ସରକାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ କୃଷିବିଜ୍ଞାନ କେନ୍ଦ୍ରକୁ ଟେକି ଦେଇଛନ୍ତି।

ଜୟଚନ୍ଦ୍ରପୁରର ଚାଷୀ ସଚ୍ଚିଦାନନ୍ଦ ସ୍ୱାଇଁ କହିଛନ୍ତି, “ଗବେଷଣା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ବହୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଚାଷୀଙ୍କୁ ସଠିକ୍ ସମୟରେ ବିହନ ମିଳୁନଥିବା ବେଳେ ନଳିତା ପଚାଇବାକୁ ଟ୍ୟାଙ୍କର ସୁବିଧା ନାହିଁ।”

କୃଷି ବିଭାଗ ତଥ୍ୟ ଅନୁଯାୟୀ,  ଜିଲ୍ଲାର ଗରଦପୁରରେ ପୂର୍ବରୁ ୧୨୦ ହେକ୍ଟର ଚାଷ ଜମିରେ ଝୋଟ ଚାଷ କରାଯାଉଥିବା ବେଳେ ଏବେ ୬୦ ହେକ୍ଟର ଜମିରେ ଚାଷ ହେଉଛି। ସେହିପରି ମହାକାଳପଡାରେ  ୩୫୦ ହେକ୍ଟର ବଦଳରେ ୭୦, ମାର୍ଶାଘାଇରେ ୪୦୦ ହେକ୍ଟରରେ ହେଉଥିବା ବେଳେ ଏବେ ୨୦୦ ହେକ୍ଟରରେ ହେଉଛି। ମୋଟାମୋଟି ଭାବେ ଜିଲ୍ଲାରେ ପ୍ରାୟ ୩ ହଜାର ହେକ୍ଟର ମଧ୍ୟରୁ ଏବେ ପ୍ରାୟ ୧ ଜହାର ହେକ୍ଟର ଜମିରେ ଝୋଟ ଚାଷ କରାଯାଉଛି।

ମାର୍ଶାଘାଇ କୃଷି ଜିଲ୍ଲା ଅଧିକାରୀ ଶରତ ଚନ୍ଦ୍ର ଦାସ କହିଛନ୍ତି, “୪ଟି ଟ୍ୟାଙ୍କର ବ୍ୟବସ୍ଥା ହୋଇଛି ଏହି କୃଷି ଜିଲ୍ଲାରେ। ପରିଶ୍ରମ ଅନୁଯାୟୀ ଚାଷୀ ଫଳ ପାଉ ନାହାନ୍ତି। ଜୁଟ୍ କର୍ପୋରେସନ୍ ପାଇଁ କୋଲକାତାର ଏକ ସଂସ୍ଥା ବିଭାଗ ସହ ଯୋଗାଯୋଗ କରିଥିଲା। ଯାଜପୁର ଓ କେନ୍ଦ୍ରାପଡାକୁ ନେଇ ଚଣ୍ଡିଖୋଲରେ ଏକ ଟ୍ୟାଙ୍କ କରିବା ପାଇଁ ନିଷ୍ପତି ହୋଇଥିଲା। ତାହା କ’ଣ ପାଇଁ କାର୍ଯ୍ୟକାରୀ ହୋଇନି ତାହା ଜଣାନାହିଁ।”

Comment