ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ସବୁ ତରକାରୀରେ ସାରୁ ପଡ଼ିପାରୁଥିବାରୁ ମାର୍କେଟରେ ଏହାର ଚାହିଦା ସବୁବେଳେ ରହିଥାଏ। ତେଣୁ ଚାଷୀ ଲାଭବାନ ହେବା ପାଇଁ ସାରୁ ଲଗାଇବାଠାରୁ ଆରମ୍ଭ କରି ସାରୁ ଅମଳ କରିବାର ଠିକ୍‌ ପଦ୍ଧତି ଜାଣିବା ଦରକାର। 

ଦେଶୀ କିସମର ତରକାରୀ ଓ ଘାଣ୍ଟ ଆଦି ପାଇଁ ସାରୁର ବିକଳ୍ପ ନାହିଁ। ଅନ୍ୟ ସବୁ ପରିବା ସହ ଏହା ବେଶ ମିଶି ଯାଏ ଓ ଖାଇବାକୁ ବି ଭଲ ଲାଗେ। ଏଥରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରାଯାଏ। ଆୟୁର୍ବେଦିକ ଔଷଧ ତିଆରି କରିବାରେ ମଧ୍ୟ ସାରୁର ବ୍ୟବହାର ହୋଇଥାଏ। ତେବେ କେଉଁ ମାଟିରେ ସାରୁ ଚାଷ କଲେ ଭଲ ଅମଳ ହୋଇଥାଏ ତାହା ବି ଜାଣିବା ଜରୁରୀ।

ସାରୁ ଚାଷ ପାଇଁ ମାଟି

ସାରୁ ଚାଷ ପାଇଁ ନିଗିଡ଼ା ମାଟି, ଉବର୍ର ମାଟି ଓ ବାଲି ଦୋରସା ଏବଂ ୫.୫ରୁ ୭.୦ ଅମ୍ଳତା ଥିବା ମାଟିରେ ସାରୁ ଚାଷ କରାଗଲେ ଅମଳ ଭଲ ହୋଇଥାଏ।

ଆମ ରାଜ୍ୟରେ ସାଧାରଣତଃ ଶଙ୍ଖସାରୁ, ପାଣିସାରୁ,  କୁଜିସାରୁ ମାଣସାରୁ ଆଦି ଚାଷ ହୁଏ।

ସାରୁ ଚାଷ ପାଇଁ ବିହନ

ନିରୋଗ, ସୁସ୍ଥ ଓ ଖଣ୍ଡିଆ ଖାବରା ହୋଇନଥିବା ପୁଆ ସାରୁକୁ ବିହନ ଭାବେ ଲଗାନ୍ତୁ।

ଛୋଟ କିସମ ଅର୍ଥାତ୍ ୨୦ରୁ ୨୫ ଗ୍ରାମ ସାରୁ ପୁଆ ଏକର ପ୍ରତି ୧୦ କ୍ୱିଣ୍ଟାଲ ଲାଗୁଥିଲା ବେଳେ ଶଙ୍ଖସାରୁ ଭଳି ବଡ଼ ପୁଆ ଯାହାକି ୫୦ ଗ୍ରାମ ଓଜନ ଥାଏ। ତାହା ଏକର ପ୍ରତି ୨୦ରୁ ୨୫ କ୍ୱିଣ୍ଟାଲ ଦରକାର ହୁଏ।

ପୁଆଗୁଡ଼ିକ ଲଗାଇବାର ୨/୩ ମାସ ପୂର୍ବରୁ ଶୁଖିଲା ଓ ଥଣ୍ଡା ଜାଗାରେ ରଖିଲେ ସେଥିରେ ଭଲ ଗଜା ବାହାରେ।CGU new

ସାରୁ କେବେ ଲଗାଇବେ?

ସାଧାରଣତଃ ଜୁନରୁ ଜୁଲାଇ ପ୍ରଥମ ସପ୍ତାହ ଯାଏଁ ସାରୁ ଲଗାଯାଏ। ପାଣିର ସୁବିଧା ଥିଲେ ଫେବ୍ରୁଆରି-ମାର୍ଚ୍ଚ ମାସରେ ମଧ୍ୟ ସାରୁ ଲଗାଯାଇପାରିବ।

ମାଟିକୁ ୩ରୁ ୪ ଥର ଓଡ଼ଗୁଣ୍ଡ ଚାଷ କରନ୍ତୁ। ଏକର ପିଛା ୪-୬ ଟନ୍‌ ସଢ଼ା କମ୍ପୋଷ୍ଟ ପ୍ରୟୋଗ କରି ୪୫ରୁ ୬୦ ସେଣ୍ଟିମିଟର ବ୍ୟବଧାନରେ ଓ ୫ରୁ ୭ ସେଣ୍ଟିମିଟର ଗଭୀରରେ ସାରୁ ଲଗାନ୍ତୁ।

ସେହିପରି ୨୦ ସେଣ୍ଟିମିଟର ହିଡ଼ କରି ଲଗାଇଲେ ଭଲ।

ଶଙ୍ଖସାରୁ  ୪୫ ସେଣ୍ଟିମିଟର ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ କରନ୍ତୁ। ସାରୁ ଲଗାଇବା ପରେ ଶୁଖିଲା ପତ୍ର, ଛଣ, ଘାସ ଆଦିରେ ଛାଦିକରଣ କରନ୍ତୁ।

ସାରୁ ଚାଷ ପାଇଁ ସାର ପ୍ରୟୋଗ

ସାରୁ ଲଗାଇବା ସମୟରେ ଏକର ପ୍ରତି ଯବକ୍ଷାରଯାନ ୧୬ କିଲୋଗ୍ରାମ, ଫସଫରସ ୨୪ କିଲୋଗ୍ରାମ, ଓ ପଟାସିୟମ ସାର ୩୨ କିଲୋଗ୍ରାମ ଦିଅନ୍ତୁ।

ଏହାର ୩୦ ଦିନ ଓ ୬୦ ଦିନ ପରେ ପୁଣି ଯବକ୍ଷାରଯାନ ୮ କିଲୋଗ୍ରାମ ହିସାବରେ ଦିଅନ୍ତୁ।

ଦ୍ୱିତୀୟ ଓ ତୃତୀୟ ଦଫା ସାରକୁ ଧାଡ଼ିର ଦୁଇ ପାର୍ଶ୍ୱରେ  ୫ ସେଣ୍ଟିମିଟର ଦୂରତାରେ  ଏବଂ ୩ ସେଣ୍ଟିମିଟର ଗଭୀରରେ  ଦିଅନ୍ତୁ। ଅଣଜଳସେଚିତ  ଅଞ୍ଚଳରେ ସାର ପ୍ରୟୋଗର ପରିମାଣ  ଏକ ତୃତୀୟାଂଶ କମାଇପାରିବେ।

ସାରୁଚାଷରେ ପରବର୍ତ୍ତୀ ଯତ୍ନ

ସାରୁ ଲଗାଇବାର ୩୦ ଓ ୬୦ ଦିନରେ  କୋଡ଼ା ଖୋସା କରି ଅନାବନା  ଗଛ ବାଛି ଦିଅନ୍ତୁ। ଗଛ ମୂଳକୁ ମାଟି ଟେକି ଦିଅନ୍ତୁ।

ଏହାପରେ ୮ରୁ ୧୦ ଦିନ ବ୍ୟବଧାନରେ ପାଣି ଦେବେ। ସାରୁ କିଆରିରେ ପାଣି ଜମି ରହିଲେ, ସେଇ ରାନ୍ଧିଲେ ଭଲ ଲାଗେ ନାହିଁ। ତେଣୁ ଜଳ ନିଷ୍କାସନ ପ୍ରତି ମଧ୍ୟ ଧାନ ଦେବେ।

ସାଧାରଣତଃ ପତ୍ରପୋଡ଼ା ରୋଗ,  ପତ୍ରଖିଆ ପୋକ, ସାରୁ ଫସଲ କ୍ଷତି କରେ ଏହାର ପ୍ରତିକାର ପାଇଁ ମାଙ୍କୋଜେବ ଓ କ୍ଲୋରାପାରିଫିସ୍‌ ସ୍ପ୍ରେ କରନ୍ତୁ।

ସାରୁ ଅମଳ

ସାରୁ ଲଗାଇବାର ୬-୭ ମାସରେ ପତ୍ର ହଳଦିଆ ପଡ଼ି  ଶୁଖି ଆସିଲେ ସାରୁ ଅମଳ କରନ୍ତୁ।

ଅମଳର ୧୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିବେ। ପ୍ରତି ଏକରରୁ ୫୦ରୁ ୧୦୦ କ୍ୱିଣ୍ଟାଲ ଅମଳ ମିଳେ।

ସାରୁର ଚାହିଦା ଓ ବଜାର ଦର ଦୃଷ୍ଟିରୁ ଏଥିରୁ ଆପଣ ଭଲ ଲାଭ ପାଇପାରିବେ ନିଶ୍ଚୟ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment