ଓଡ଼ିଶାଲାଇଭ୍ ବ୍ୟୁରୋ

ପାଠ ପଢ଼ା ପରେ ଲଣ୍ଡନରେ ଚାକିରି କଲେ, ଆଉ ମୋଟା ଅଙ୍କର ଦରମା ବି କମାଇଲେ। ହେଲେ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ବେଶୀ ଦିନ ଯାଏଁ ଲଣ୍ଡନରେ ରହିବାକୁ ଦେଲାନାହିଁ। ନିଜ ଗାଁରେ ଚାଷ କରି ଏବେ ସେ ମାସକୁ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ଆଗ୍ରାର ନେହା ଭାଟିଆ। ଅର୍ଥନୀତିରେ ସ୍ନାତକୋତ୍ତର କରିଥିବା ନେହା ଗତ ୩ ବର୍ଷ ହେଲା ଚାଷ କରିଆସୁଛନ୍ତି। ନିଜେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି।

୩୧ ବର୍ଷୀୟା ନେହା ୨୦୧୪ ମସିହାରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପଢ଼ା ସରିବା ପରେ ସେ ଲଣ୍ଡନରେ ଚାକିରି କରିଥିଲେ। ଏହାପରେ ସେ ଭାରତ ଫେରି ଆସିଥିଲେ। ୨୦୧୭ରେ ନେହା ଅର୍ଗାନିକ୍ ଫାର୍ମିଂ ବା ଜୈବିକ ଚାଷ ଆରମ୍ଭ କଲେ।ବର୍ତ୍ତମାନ ସେ ତିନୋଟି ସ୍ଥାନରେ ଜୈବିକ ଚାଷ କରୁଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଯେ, ନେହା ଚାଷ କରି ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଏଥିସହ କୃଷକମାନଙ୍କୁ ଜୈବିକ ଚାଷ ପଦ୍ଧତି ବିଷୟରେ ତାଲିମ ଦେଇ ସେମାନଙ୍କ ଜୀବନ-ଜୀବିକା ମାନରେ ଉନ୍ନତି ଆଣିପାରିଛନ୍ତି।

ନେହାଙ୍କ ପରିବାର ବ୍ୟବସାୟ ସହ ଜଡ଼ିତ। ନେହା କହିଛନ୍ତି ଯେ, “ମୁଁ ବହୁତ ଆଗରୁ ବ୍ୟବସାୟ କରିବାକୁ ଠିକ୍ କରିଥିଲି। କିନ୍ତୁ କେବଳ ଅର୍ଥ ଉପାର୍ଜନ କରିବାକୁ ନୁହେଁ, ବରଂ ସାମାଜିକ ଉପାଦେୟତା ଏବଂ ସାମାଜିତ ପ୍ରଭାବ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିଲି। ଲୋକଙ୍କ ଫାଇଦା ହେଲା ଭଳି ବ୍ୟବସାୟ କରିବାକୁ ଚାହୁଁଥିଲି। ଅବଶ୍ୟ, ସେତେବେଳେ ମୁଁ ଚାଷ କରିବା କଥା ଭାବିନଥିଲି।”

ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ନେହା ଏକ ସାମାଜିକ ସଂସ୍ଥା ସହିତ ଯୋଡ଼ି ହୋଇଥିଲେ। ସେ ରାଜସ୍ଥାନ, ହରିଆଣା, ମଧ୍ୟପ୍ରଦେଶ ସମେତ ଅନେକଗୁଡ଼ିଏ ରାଜ୍ୟରେ ଶିକ୍ଷା, ସ୍ଵାସ୍ଥ୍ୟ ଆଦି ଉପରେ କାମ କରିଥିଲେ। ଏହାପରେ ସେ ୨୦୧୨ରେ ଲଣ୍ଡନ ଚାଲିଗଲେ। ୨୦୧୫ରେ ଲଣ୍ଡନରୁ ଫେରିବା ପରେ ସେ ପୁଣି ଏକ ସାମାଜିକ ସଂସ୍ଥା ସହିତ ଯୋଡ଼ି ହେଲେ ଏବଂ ସେଠାରେ ଦୁଇ ବର୍ଷ କାମ କଲେ।ଏହି ସମୟରେ ନେହା ଅନେକ ଗାଁ ବୁଲି ସେଠାରେ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେଲେ। ନେହା କହିଛନ୍ତି ଯେ, ଲୋକଙ୍କ ସହ ଆଲୋଚନା କରି ଜଣାପଡ଼ିଲା-ସ୍ଵାସ୍ଥ୍ୟକର ଖାଦ୍ୟ ହେଉଛି ଲୋକଙ୍କ ବଡ଼ ସମସ୍ୟା। କେବଳ ସହର ନୁହେଁ, ଗାଁ ଲୋକଙ୍କୁ ମଧ୍ୟ ସଠିକ୍ ଖାଦ୍ୟ ମିଳୁନାହିଁ ବୋଲି ସେ ବୁଝିପାରିଲେ। ତେଣୁ ନେହା ୨୦୧୬ରେ ‘କ୍ଲିନ୍ ଇଟିଂ ମୁଭ୍‌ମେଣ୍ଟ” ଲଞ୍ଚ୍ କରିବାକୁ ଯୋଜନା କଲେ, ଯାହାଦ୍ଵାରା ଲୋକଙ୍କୁ ଶୁଦ୍ଧ ଖାଦ୍ୟ ମିଳିପାରିବ।

ଏହାକୁ ନେଇ ସେ ରିସର୍ଚ୍ଚ କଲେ। ଅନେକ ବିଶେଷଜ୍ଞଙ୍କୁ ଭେଟିଲେ। ସମସ୍ତଙ୍କ ସହ ଆଲୋଚନା କଲା ପରେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ- ଶୁଦ୍ଧ ଖାଦ୍ୟ ଖାଇବାକୁ ହେଲେ ଶୁଦ୍ଧ ଖାଦ୍ୟ ଉତ୍ପାଦନ ମଧ୍ୟ କରିବାକୁ ପଡ଼ିବ। ପନିପରିବା, ଶସ୍ୟ ଆଦି ଉତ୍ପାଦନ କରିବା ପାଇଁ ଯଦି ୟୁରିଆ ଏବଂ ରାସାୟନିକ ସାର ପ୍ରୟୋଗ କରାଯିବ ତେବେ ସେଥିରେ ପ୍ରସ୍ତୁତ ଖାଦ୍ୟ କଦାପି ସ୍ଵାସ୍ଥ୍ୟକର ହେବନାହିଁ ବୋଲି ସେ ବୁଝିଲେ।ତେଣୁ ନେହା ଜୈବିକ ପଦ୍ଧତିରେ ଚାଷ କରିବାକୁ ଚିନ୍ତା କଲେ। କିନ୍ତୁ ତାଙ୍କୁ ଚାଷ ବିଷୟରେ କିଛି ବି ଜଣାନଥିଲା। ତେଣୁ ସେ ପ୍ରଥମେ ବିଭିନ୍ନ ଗାଁକୁ ଯାଇ ୬-୭ ମାସ ଯାଏଁ ଚାଷ ବିଷୟରେ ବିଭିନ୍ନ ତଥ୍ୟ ହାସଲ କଲେ। ଏହା ପରେ ସେ ନୋଇଡ଼ାରେ ନିଜର ୨ ଏକର ଜମିରେ ଜୈବିକ ଚାଷ ଆରମ୍ଭ କଲେ। ପରେ ସେ ଉତ୍ପାଦିତ ପନିପରିବାକୁ ନିଜେ ନେଇ ବଜାରରେ ବିକ୍ରି କଲେ ଓ ଲୋକଙ୍କୁ ଜୈବିକ ଖାଦ୍ୟଶସ୍ୟର ଉପକାରିତା ବିଷୟରେ ବୁଝାଇଲେ।

ଏହାର କିଛି ଦିନ ପରେ ନେହାଙ୍କୁ ସକାରାତ୍ମକ ପ୍ରତିକ୍ରିୟା ମିଳିଲା। ଲୋକମାନେ ତାଙ୍କ ଉତ୍ପାଦ ପ୍ରତି ଆଗ୍ରହୀ ହେଲେ। ତେଣୁ ନେହା ମୁଜାଫରନଗର ଓ ଭୀମତାଲରେ ଜୈବିକ କୃଷି ଆରମ୍ଭ କଲେ।ବର୍ତ୍ତମାନ ସେ ୧୫ ଏକର ଜମିରେ ଜୈବିକ ପଦ୍ଧତିରେ ପରିବା ଓ ଔଷଧୀୟ ଗଛ, ଫଳ ଆଦି ଚାଷ କରୁଛନ୍ତି। ତାଙ୍କ ସହିତ ଏବେ ୨୦ ଜଣ ଲୋକ କାମ କରୁଛନ୍ତି। ଏଥିସହ ଅନେକ ଚାଷୀ ତାଙ୍କଠାରୁ ଜୈବିକ ଚାଷ ପ୍ରଣାଳୀ ବିଷୟରେ ତାଲିମ ବି ନେଉଛନ୍ତି।

Comment