ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ବର୍ତ୍ତମାନର ଅର୍ଥସର୍ବସ୍ଵ ଦୁନିଆରେ ସାଧାରଣତଃ ଲୋକେ ଦାନ ଧର୍ମରେ ଟଙ୍କା ଖର୍ଚ୍ଚ କରିବାକୁ ଅମଙ୍ଗ ହୁଅନ୍ତି। କିନ୍ତୁ ଜଣେ ଭିକ୍ଷୁକ ଭିକ୍ଷାବୃତ୍ତି କରି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି ଏକ ଲକ୍ଷ ଟଙ୍କା। ଭିକ୍ଷୁକଙ୍କର ଏହି ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଖୋର୍ଦ୍ଧା ଜିଲ୍ଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଛୋଟ କୁଡ଼ିଆରେ ରୁହନ୍ତି ଦୃଷ୍ଟିହୀନ ଭିକ୍ଷୁକ ରଘୁ ରାଉତ। ଘର ତାଙ୍କର ଗଞ୍ଜାମ ଜିଲ୍ଲାରେ। ପିଲାଟି ଦିନରୁ ଦୃଷ୍ଟିଶକ୍ତି ହରାଇଥିବାରୁ ପରିବାର ପକ୍ଷରୁ ଅଣଦେଖାର ଶିକାର ହୋଇ ଗାଁ ଛାଡିଥିଲେ ସେ। ସେବେଠାରୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ସମୟ ହେବ ହଟକେଶ୍ଵର ମନ୍ଦିରରେ ରହିଆସୁଛନ୍ତି ରଘୁ।ବିଭିନ୍ନ ଅଞ୍ଚଳ ବୁଲି ସେ ଭିକ୍ଷାବୃତ୍ତି କରନ୍ତି। ଏଥିରୁ ଯାହା କିଛି ମିଳେ ସେଥିରୁ ନିଜର ଗୁଜୁରାଣ ମେଣ୍ଟାଇବା ସହ କିଛି ଟଙ୍କା ସଞ୍ଚୟ ମଧ୍ୟ କରନ୍ତି। ସେହି ସଞ୍ଚିତ ଅର୍ଥରୁ ସେ ହଟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଶନି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି ଲକ୍ଷେ ଟଙ୍କା। ଖାଲି ସେତିକି ନୁହେଁ, ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟନ୍ତ ଯେତେ ଅର୍ଥ ଲାଗିବ ତାହାକୁ ସେ ଭିକ୍ଷାବୃତ୍ତି କରି ଦେବାପାଇଁ ପଣ କରିଛନ୍ତି।CGU newସ୍ଥାନୀୟ ଅଞ୍ଚଳବାସୀ ରଘୁଙ୍କର ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଜୀବନରେ ଅନେକ ଝଡ଼ଝଞ୍ଜାକୁ ସାମ୍ନା କରିଥିବା ରଘୁଙ୍କର ଏହି ମହାନତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Comment