ଓଡିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସୁସ୍ଥ ହୋଇଥିବା କୋଭିଡ୍ ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ଉତ୍ସାହିତ କରିବାକୁ ଜିଲ୍ଲାୱାରୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ରାୟଗଡ଼ା ଜିଲ୍ଲା ଦାୟିତ୍ଵରେ ଥିବା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୂଆଲା, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲାଜ୍‌ମା ବ୍ୟାଙ୍କ ନୋଡାଲ ଅଫିସର  ଶରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଯୋଗ ଦେଇ ଜିଲ୍ଲାରେ କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଜିଲ୍ଲାପାଳ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ଅନୁରୋଧ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲାରେ ପ୍ଲାଜ୍‌ମା ସଂଗ୍ରହ ପାଇଁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ଲାଜ୍‌ମା ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରାଯିବ।ଏହି ବୈଠକରେ ମନ୍ତ୍ରୀ ଦିଆନ କହିଛନ୍ତି, “ପ୍ଲାଜ୍‌ମା ଦାନ କରିବା ଦ୍ଵାରା ଅନ୍ୟ ବ୍ୟକ୍ତିର ଜୀଵନ ବଞ୍ଚି ପାରୁଥିବାରୁ ଆମେ ସମସ୍ତେ ଚେଷ୍ଟା କରିବା। ସୁସ୍ଥ ହୋଇ ଫେରୁଥିବା କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ବୁଝାଇବା।”

ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାର ନିଜ ଅଞ୍ଚଳରେ ଆରୋଗ୍ୟ ଲାଭ କରିଥିବା ରୋଗୀମାନଙ୍କୁ ପ୍ଲାଜ୍‌ମା ଦାନ କରିବା ପାଇଁ  ବୁଝାଇବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କୋରନା ଯୋଦ୍ଧାଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଅମୃତ ଋତୁରାଜ ଜିଲ୍ଲାରେ କରୋନା ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ତହସିଲଦାର ଉମାଶଙ୍କର ବେହେରା, ପିଏ ଆଟିଡିଏ ଟୁକୁ ବାରିକ, ପୌରପରିଷଦ ନିର୍ବାହୀ ଅଧିକାରୀ ସଚିଦାନନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Comment