ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ଅନଲକ୍‌-୩କୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ପୂର୍ବରୁ ମାଇକ୍‌ରେ ପ୍ରଚାର କରି ଲୋକଙ୍କୁ କରୋନା କଟକଣା ସମ୍ପର୍କିତ ସୂଚନା ଦେଉଥିଲା ପ୍ରଶାସନ। କିନ୍ତୁ ଏଥର ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧ ତାରଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏଥିସହ ପୂର୍ବଭଳି କୋଭିଡ୍-୧୯ର ସମସ୍ତ କଟକଣା ଜାରି ରହିବା ସହ ସପ୍ତାହର ପ୍ରତି ଶନି ଓ ରବିବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେହିପରି ରାକ୍ଷୀ ପୂର୍ଣ୍ଣିମାରେ ସାମାଜିକ ଦୂରତ୍ଵ ଭଙ୍ଗ ଆଶଙ୍କା ଥିବାରୁ ଅଗଷ୍ଟ ୩ ତାରିଖକୁ ଜିଲ୍ଲାବ୍ୟାପୀ ସଟ୍‌ଡାଉନ୍ ଘୋଷଣା କରାଯାଇଛି।

ଲକ୍‌ଡାଉନ୍ ସମୟରେ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ଅନ୍ୟ ଦୋକାନଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରାହକମାନଙ୍କ ମଧ୍ୟରେ ୬ ଫୁଟ ଦୂରତ୍ଵ ନ ରହିଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ୭ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି।ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସାମାଜିକ ବା ରାଜନୈତିକ ଜନ ସମାଗମ ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ପ୍ରଶାସନିକ ସେବା ଏବଂ ଜନସେବାରେ ନିୟୋଜିତ ବ୍ୟକ୍ତି ବା ସଂସ୍ଥା ପୂର୍ବପରି କାର୍ଯ୍ୟ କରିବା ନେଇ ଲକ୍‌ଡାଉନ୍-୩ରେ ସୂଚନା ଦିଆଯାଇଛି। ଏଥିସହ ସଂକ୍ରମଣ ଭୟ ଦୃଷ୍ଟିରୁ ଓଡ଼ଗାଁ ବ୍ଲକ୍‌ର ୬ଟି ଗାଁକୁ ଅଗଷ୍ଟ ୨ରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ତେବେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍ ସମ୍ପର୍କରେ ଆଗୁଆ ସୂଚନା ନଦେଇ ଲୋକଙ୍କୁ ଅସୁବିଧାରେ ପକାଇବା ଅନୁଚିତ୍ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

Comment