ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜଣକ ପରେ ଜଣେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି ବୁର୍ଲା ଭୀମସାର ମେଡିସିନ୍ ବିଭାଗର ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଡିସିନ୍ ବିଭାଗ ଓପିଡିକୁ ଆଜି ପାଇଁ ବନ୍ଦ କରାଯାଇଛି। ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି।

ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମେଡିକାଲ କର୍ତ୍ତୃପକ୍ଷଙ୍କର ଚିନ୍ତା ବଢ଼ିଛି। ତେବେ ଏହି ୯ ଜଣ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି। ସମ୍ପୃକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ପଠାଯିବ ବୋଲି ଜଣାପଡ଼ିଛି।

ତେବେ ଆସନ୍ତାକାଲି ଓପିଡି ଖୋଲା ରହିବା କି ନାହିଁ ସେନେଇ ଆଜି ଏକ ବୈଠକ ବସିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଭୀମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comment