ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧାର ନବ ନିଯୁକ୍ତ ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟଠାରେ ୧୪୫ ଶଯ୍ୟାବିଶିଷ୍ଟ କୋଭିଡ୍ ଯତ୍ନ କେନ୍ଦ୍ରକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ଵାଇଁ ଏବଂ ଅନ୍ୟ ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହା ସହିତ ଜିଲ୍ଲାପାଳ କାର୍ଯ୍ୟାଳୟରେ ନୂଆ ଜିଲ୍ଲାପାଳଙ୍କୁ ଅଧିକାରୀମାନେ ସ୍ଵାଗତ କରିବା ସହିତ ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି। ଏଥିସହ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ଗଞ୍ଜାମ ପରେ ଖୋର୍ଦ୍ଧା ରାଜ୍ୟରେ ଦ୍ଵିତୀୟ କରୋନା ହଟ୍‌ସ୍ପଟ୍ ଜିଲ୍ଲାରେ ପରିଣତ ହୋଇଛି। ଜିଲ୍ଲା ଭିତରେ ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଞ୍ଚଳଗୁଡ଼ିକରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ’ଣ ସବୁ ପଦକ୍ଷେପ ନେବେ ବୋଲି ଏକ ପ୍ରଶ୍ନରେ, କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବି ବୋଲି ଜିଲ୍ଲାପାଳ କହିଛନ୍ତି।

ଗତ କିଛି ଦିନ ତଳେ ଟାଙ୍ଗୀ ତହସିଲଦାରଙ୍କୁ ମାଙ୍କଡା ପଥର ଖଣି ମାଫିଆଙ୍କ ଦ୍ଵାରା ଆକ୍ରମଣ ଘଟଣାର ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ସହିତ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here