ଓଡିଶାଲାଇଭ୍ ବ୍ୟୁରୋ

କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ସ୍ଵାବ୍ ସଂଗ୍ରହ କରିବା ଆଦୌ ସହଜ କଥା ନୁହେଁ। କିନ୍ତୁ ସ୍ଵାବ୍ ସଂଗ୍ରହ କରିବା ପାଇଁ ନିଜ ବାପା, ମା’, ସ୍ତ୍ରୀ, ପିଲା ଏବଂ ସର୍ବୋପରି ନିଜ ଜୀବନକୁ ମଧ୍ୟ ପଛରେ ପକାଇ ଲୋକଙ୍କ ସେବା କରୁଛନ୍ତି କରୋନା ଯୋଦ୍ଧା ସୌଭାଗ୍ୟ ରଞ୍ଜନ ବସନ୍ତିଆ।

“ଯେତେବେଳେ ମୁଁ ସଂଗ୍ରହ କରିଥିବା କରୋନା ସାମ୍ପଲ୍‌ରୁ ୧୮ଟି ପଜିଟିଭ୍ ଆସିଥିଲା, ସତେ ଯେମିତି ଛାତିରେ ଛନକା ପଶିଯାଇଥିଲା। ପ୍ରଥମ ଥର ପାଇଁ ଏତେ ସଂଖ୍ୟାର ପଜିଟିଭ୍ ଦେଖି ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗୁଥିଲା। ମନରେ ଭୟ, ଛାତିରେ କୋହ, ସେଦିନ ମୁଁ କାନ୍ଦିପକାଇଥିଲି”, କୋହଭରା କଣ୍ଠରେ କହିଛନ୍ତି କରୋନା ଯୋଦ୍ଧା ସୌଭାଗ୍ୟ ରଞ୍ଜନ ବସନ୍ତିଆ।

ନାଁ ସୌଭାଗ୍ୟ ରଞ୍ଜନ ବସନ୍ତିଆ। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲାବୋରୋଟେରି ଟେକ୍ନିସିଆନ ଭାବେ ସେ କାର୍ଯ୍ୟ କରନ୍ତି। ବାପା, ମା’, ସ୍ତ୍ରୀ ଓ ୫ ବର୍ଷର ପୁଅକୁ ନେଇ ସୌଭାଗ୍ୟଙ୍କ ସଂସାର। ପରିବାରଠାରୁ ଦୂରରେ ରହି ଏବଂ ମୃତ୍ୟୁକୁ ପଛରେ ପକାଇ ସେ ବର୍ତ୍ତମାନ କରୋନା ସ୍ଵାବ୍ ସଂଗ୍ରହ କରୁଛନ୍ତି।ନିଜର ଅନୁଭୂତି ବଖାଣି ସୌଭାଗ୍ୟ କହିଛନ୍ତି, “ପ୍ରଥମେ ଯେତେବେଳେ କୋଭିଡ୍-୧୯ ଆରମ୍ଭ ହେଲା ସେତେବେଳେ କାଳେ ଆମ ନାଁ ପଡ଼ିଯିବ ସେନେଇ ମନରେ ଭୟ ଥିଲା। ସାମ୍ପଲ୍ ଟେଷ୍ଟ କାମ ପାଇଁ ଯେତେବେଳେ ତାଲିକା ଆସିଲା ଆମେ ସେତେବେଳେ ଛାନିଆ ହେଇଯାଇଥିଲୁ। କୋଭିଡ୍ ଆକ୍ରାନ୍ତରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଜୀବନ ଚାଲିଯାଉଛି। ତେଣୁ ଆମକୁ କାହିଁକି କୋଭିଡ୍ ନ ହେବ ଭାବି ମନରେ ଭୟ ଆସୁଥିଲା।”

ତେବେ ମନକୁ ଦୃଢ଼ କରି ଲୋକଙ୍କ ସେବା ପାଇଁ ଆଗକୁ ଆସିଥିଲେ ସୌଭାଗ୍ୟ। ସୌଭାଗ୍ୟ କହିଛନ୍ତି, “ଆଜି ନ ହେଲେ ବି କାଲି ମୃତ୍ୟୁ ନିଶ୍ଚିତ। ତେଣୁ ସ୍ଵତଃପ୍ରବୃତ୍ତ ଭାବେ ଆମ ମନରେ ସ୍ଥିର କଲୁ ଯେ, ଯାହା ହେଲେ ବି ଲୋକଙ୍କ ପାଇଁ ଆମକୁ କିଛି କରିବାକୁ ପଡ଼ିବ। ଯେତେବେଳେ ଆମ ହସ୍ପିଟାଲର ଅନେକ କର୍ମଚାରୀ ଏହି କାମ ପାଇଁ ଭୟ କରୁଥିଲେ, ସେତେବେଳେ ଆମେ ୪-୫ ଜଣ କର୍ମଚାରୀ ବାହାରିଥିଲୁ।”

ପରିବାରଠୁ ମାସ ମାସ ଧରି ଦୂରରେ ରହି ସୌଭାଗ୍ୟ ରୋଗୀ ସେବାରେ ବ୍ୟସ୍ତ ରୁହନ୍ତି। ବିପଦ ସମୟରେ ପରିବାରଠୁ ଦୂରରେ ରହି କେବେ କେମିତି ଭାଙ୍ଗିପଡ଼ନ୍ତି ସତ କିନ୍ତୁ ନିଜ ପରିବାର ଲୋକଙ୍କ ମନୋବଳ ଦୃଢ଼ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି।ଏନେଇ ସେ କହିଛନ୍ତି, “ଯେତେବେଳେ ମୁଁ ଅଢ଼େଇ ମାସ ଯାଏଁ ଘରକୁ ଯାଇପାରିଲିନି, ସେତେବେଳେ ବାପାଙ୍କୁ ଫୋନ କରି ବିପଦ ସମୟରେ ମନକୁ ସ୍ଥିର କରିବାକୁ ବୁଝେଇଥିଲି। କିଛି ବି ଅସୁବିଧା ହେବନି ବୋଲି ବାପାଙ୍କୁ ଆଶ୍ୱାସନା ଦେଇଥିଲି।”

“ଭିଡିଓ କଲ୍‌ରେ ଯେତେବେଳେ ମୋ ୫ ବର୍ଷର ପୁଅ ସହ କଥା ହୁଏ, ଭାରି ଦୁଃଖ ଲାଗେ” ଏହା କହୁ କହୁ କାନ୍ଦି ପକାଇଛନ୍ତି ସୌଭାଗ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି, “ଘର ପାଖ ଟିଏମ୍‌ସିକୁ ଯେତେବେଳେ ସାମ୍ପଲ୍ ସଂଗ୍ରହ କରିବାକୁ ଯାଉ ସେତେବେଳେ ମୁଁ ମୋ ଘର ଦୁଆର ମୁହଁକୁ ଅନାଏ। କିନ୍ତୁ ପରିସ୍ଥିତିରେ ପଡ଼ି ଘର ଭିତରକୁ ଯାଇପାରେ ନାହିଁ। ସେହି ସମୟରେ ବହୁତ ଦୁଃଖ ଲାଗେ।”

ନିଜକୁ ରୋଗୀ ସେବାରେ ଉତ୍ସର୍ଗ କରିଥିଲେ ମଧ୍ୟ ସ୍ଵାବ୍ ସଂଗ୍ରହ ବେଳେ ଅନେକ ଲୋକ ଘୃଣା ଦୃଷ୍ଟିରେ ଦେଖନ୍ତି। ଏମିତି କି ସେ ସାମାଜିକ ଭେଦଭାବର ମଧ୍ୟ ଶିକାର ହୋଇଛନ୍ତି।ଶେଷରେ ଲୋକଙ୍କୁ ଅନୁରୋଧ କରି ସୌଭାଗ୍ୟ କହିଛନ୍ତି, “ରୋଗକୁ ଆପଣ ଘୃଣା କରନ୍ତୁ, କିନ୍ତୁ ରୋଗୀକୁ ନୁହେଁ। ଆଜିର ଏହି ଜଟିଳ ପରିସ୍ଥିତିରେ ପରିବାରଠାରୁ ଦୂରରେ ରହି ଆମେ ଆପଣଙ୍କ ସେବାରେ ଲାଗିଛୁ। ତେଣୁ ଆପଣମାନେ ଆମକୁ ଘୃଣା କରନ୍ତୁ ନାହିଁ। ସାମ୍ପଲ୍ ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରନ୍ତୁ।”

ରାଜ୍ୟରେ କୋଭିଡ୍-୧୯ ମୁକାବିଲା କିଛି ବ୍ୟକ୍ତି ନିଃସ୍ୱାର୍ଥପର ଭାବେ କାମ କରୁଛନ୍ତି। କୋଭିଡ୍ ଯୁଦ୍ଧରେ ସମ୍ମୁଖ ଯୋଦ୍ଧା ସାଜି ଲୋକମାନଙ୍କ ସେବା କରୁଛନ୍ତି। ‘କାହାଣୀ ଜଣେ କରୋନା ଯୋଦ୍ଧାର’ କାର୍ଯ୍ୟକ୍ରମ କେବଳ ସେମାନଙ୍କ ଜୀବନ କାହାଣୀ ଚିତ୍ର ଦେଉନାହିଁ, ହୁଏତ ଏହା ଅନ୍ୟ କାହାର ପ୍ରେରଣାର ଉତ୍ସ ପାଲଟିବ।

Comment