ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ଜଣେ ଯୁବଚାଷୀଙ୍କର ମୃତ୍ୟୁ ହୋଇଛି। ଏଥିସହ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆପଡ଼ା ପଞ୍ଚାୟତ ହରିପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଗତକାଲି ହରିପୁର ଗ୍ରାମର ବର ଗାଡ଼ିଆ ଗହୀରରେ ଚାଷୀମାନେ ଚାଷ କାମ କରୁଥିବା ବେଳେ ହଠାତ୍ ଘଡ଼ିଘଡ଼ି ସହ ବର୍ଷା ପବନ ହୋଇଥିଲା। ବଜ୍ରାଘାତରୁ ନିଜକୁ ରକ୍ଷା କରିବା ପାଇଁ ଚାଷୀମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ସେହି ଗଛ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ହରିପୁର ଗ୍ରାମର ସନ୍ତୋଷ ବେହେରା(୨୯)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସନ୍ତୋଷଙ୍କ ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।ଆହତଙ୍କ ମଧ୍ୟରୁ ମାନସ ଜେନା ଓ କେଦାର ବେହେରାଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି। ଅନ୍ୟ ଜଣେ ଆହତ ମହିଳାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comment