ଓଡିଶାଲାଇଭ୍ ବ୍ୟୁରୋ

କଟକ: କରୋନା ସଂକ୍ରମଣ କାରଣରୁ ଏସ୍‌ସିବିରେ ରୋଗୀ ଚିକିତ୍ସା ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ମେଡିକାଲର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଗତ ଶୁକ୍ରବାର ପ୍ରଥମ ଥର ପାଇଁ ଏସ୍‌ସିବିର ଜଣେ ବରିଷ୍ଠ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଶନିବାର ସର୍ଜରୀ ବିଭାଗର ୪ଜଣ ପିଜି ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବା ପରିସ୍ଥିତିକୁ ସମ୍ବେଦନଶୀଳ କରିଛି। ଏହି ଘଟଣାକୁ ମିଶାଇ ଏଯାବତ୍ ୨୦ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇସାରିଲେଣି।ଏସ୍‌ସିବି ସର୍ଜରୀ ୱାର୍ଡରେ ଜଣେ ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସି ୪ଜଣ ପିଜି ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ପିଜି ଡାକ୍ତରଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ଚାରି ଜଣ ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କରୋନା ନୋଡାଲ୍ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଫଳରେ ଏସ୍‌ସିବିରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

ଏହା ପୂର୍ବରୁ ଏସ୍‌ସିବି ମେଡିସିନ୍ ବିଭାଗର ୨ ଜଣ, ଡେଣ୍ଟାଲ ବିଭାଗର ୩ଜଣ, ପଲ୍ୟୁମନାରୀ ବିଭାଗର ୨ ଜଣ, ହାଉସ୍ ସର୍ଜନ ୨ ଜଣ, ନେଫ୍ରୋଲୋଜି ବିଭାଗର ଜଣେ ଓ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ବିଭାଗର ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେବଳ ସେତିକି ନୁହେଁ, ଇତିମଧ୍ୟରେ ମେଡିକାଲର ପ୍ରାୟ ୩୦ ଜଣ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।ସେହିପରି ବିଭିନ୍ନ ବିଭାଗର ପାଖାପାଖି ୧୦ ଜଣ ନର୍ସ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏସ୍‌ସିବିର ଡାକ୍ତରମାନେ କରୋନା ଆକ୍ରାନ୍ତ ହେବା ଯୋଗୁଁ ରୋଗୀ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଥିବା କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ଆଇସୋଲେସନ୍‌ ୱାର୍ଡରୁ ମଧ୍ୟ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ଆଇସୋଲେସନ୍ ୱାର୍ଡରେ ମୃତେଦେହଗୁଡ଼ିକ ତିନି ଚାରି ଦିନ ପଡ଼ି ରହୁଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ବିନା ଫ୍ରିଜରରେ ମୃତଦେହଗୁଡ଼ିକୁ ରଖାଯାଉଥିବାରୁ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡ଼ୁଛି। ଦୀର୍ଘଦିନ ଧରି ଆଇସୋଲେସନ ୱାର୍ଡରେ ମୃତଦେହ ପକାଇ ନ ରଖିବାକୁ କରୋନା ନୋଡାଲ୍ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଏସ୍‌ସିବି ଅଧୀକ୍ଷକଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

Comment