ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): କରୋନାରେ ଆଉ ଜଣେ କର୍ତ୍ତବ୍ୟରତ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ଆଉଟ ପୋଷ୍ଟ ଅଧିକାରୀ ମୁରଲୀଧର ବଳିଆରସିଂ କରୋନାରେ ପ୍ରାଣ ହରାଇଛନ୍ତି।

ସ୍ୱର୍ଗତ ମୁରଲୀଧରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ଜୁଲାଇ ମାସ ୨୩ ତାରିଖରେ ବାଣପୁର ଥାନା, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ୧୦ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ୧୦ ପୋଲିସ କର୍ମଚାରୀଙ୍କ ମଧ୍ୟରେ ମୁରଲୀଧର ଥିଲେ। ସେ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ତାଙ୍କୁ ଭୁବନେଶ୍ୱରର ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଗତକାଲି ମୃତ୍ୟୁ ହୋଇଛି। ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗରେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବାଣପୁରରେ କରୋନା ପିଜେଟିଭ୍ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।ଏହି ଅଞ୍ଚଳରେ ଅଗଷ୍ଟ ୧୧ ତାରିଖ ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସଟ୍‌ଡାଉନ୍ ଜାରି ହେବ। ଏହି ସଟ୍‌ଡାଉନ୍ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ସଟ୍‌ଡାଉନ୍ ସମୟରେ ଲୋକମାନେ ଘରେ ରହି ନିଜେ ସୁରକ୍ଷିତ ରହିବା ସହ ପରିବାରକୁ ସୁରକ୍ଷିତ ରଖିବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Comment