ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ଏହି ଯୋଜନାରୁ ଆଜି ବି ବଞ୍ଚିତ ଅନେକ ପରିବାର। ସ୍ଥାନୀୟ ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁଁ ଅନେକ ହିତାଧିକାରୀଙ୍କ ପାଖରେ ଏସବୁ ଯୋଜନା ପହଞ୍ଚି ପାରୁନାହିଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଗାରଗାଁ ପଞ୍ଚାୟତ ଢୋଲପଥର ଗ୍ରାମର ଗୋପୀନାଥଙ୍କ ପରିବାର ଦୀର୍ଘ ଦିନ ହେଲା ପଲିଥିନ ଜରି ତଳେ ଜୀବନ କାଟୁଛନ୍ତି। ହେଲେ ଏଯାଏଁ ତାଙ୍କୁ ଇନ୍ଦିରା ଆବାସଟିଏ ମିଳିନାହିଁ।

ଭଙ୍ଗା କାନ୍ଥ ଓ ପଲିଥିନ ତଳେ ଗୋପୀନାଥଙ୍କ ୬ ପ୍ରାଣୀ କୁଟୁମ୍ବ ମୁଣ୍ଡ ଗୁଞ୍ଜିଛନ୍ତି। ତାଙ୍କ ପାଇଁ ଫେଲ୍ ମାରିଛି ସରକାରୀ ଯୋଜନା। ଦିନକୁ ଦି ଓଳି ଖାଇବା ପାଇଁ ଶ୍ରମ କାମ କରନ୍ତି ଗୋପୀନାଥl ନିଜେ କାନ୍ଧରେ ପଥର ବୋହି ୫ପ୍ରାଣୀଙ୍କ କୁଟୁମ୍ବ ପୋଶନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ଭାଇ ଭାଗରୁ ମିଳିଥିଲା ୩ ବଖରା ଝାଟିମାଟିର ଚାଳଘର।ଦଇବ ଦାଉ ସାଧିବା ପରି ଦିନେ ସେହି ଘରେ ନିଆଁ ଲାଗିଗଲା। ଜଳି ପୋଡ଼ି ଛାରଖାର ହୋଇଗଲା ସବୁକିଛି। ସାଇତି ରଖିଥିବା ଅlସବାପତ୍ର ଠାରୁ ଆରମ୍ଭ କରି କାଗଜପତ୍ର ପର୍ଯ୍ୟନ୍ତ ନିମିଶକ ମଧ୍ୟରେ ନିଆଁରେ ପୋଡ଼ି ପାଉଁଶ ହୋଇଗଲା।ଏବେ ସରକାରଙ୍କ ଠାରୁ ମିଳିଥିବା ଜରି ପାଲ ଖଣ୍ଡିକ ଗୋପିନାଥଙ୍କ ପରିବାରର ସହାରା ପାଲଟିଛି। ଅନ୍ୟପଟେ ଜରି ପାଲ ଖଣ୍ଡେ ଧରାଇଦେଇ ସରକାରୀ ବାବୁମାନେ କର୍ତ୍ତବ୍ୟ ସାରିଦେଇଛନ୍ତି। ସରକାରୀ ସହାୟତା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଆର୍‌ଆଇ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଗଲେଣି ଗୋପୀନାଥ। ଗୋପୀନାଥଙ୍କ ଦୁର୍ଦ୍ଦଶା ଦେଖି ଗ୍ରାମବାସୀମାନେ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଥିଲେ। ତହସିଲଦାର ଗୋପୀନାଥଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି।

Comment