ଓଡିଶାଲାଇଭ୍ ବ୍ୟୁରୋ

ଏଣିକି ହରିଦାସପୁର-ପାରାଦୀପ ରେଳପଥରେ ମାଲବାହୀ ଟ୍ରେନ୍ ଚାଲିବ। କେନ୍ଦ୍ରାପଡ଼ା ଦେଇ ଯିବା ବାଟରେ ଏହି ରେଳକୁ ଅଟକାଯିବନି। ମାଲବାହୀ ଟ୍ରେନ୍ ଚାଲିବା ପରେ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ବାଟ ବାହାର କରାଯିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ଗତ ଜୁଲାଇ ୩୧ ତାରିଖରେ ହରିଦାସପୁର-ପାରାଦୀପ ରେଳପଥରେ କୋଇଲା ନେଇ ଆସୁଥିବା ପ୍ରଥମ ଟ୍ରେନ୍‌କୁ ମହାକାଳପଡ଼ାଠାରେ ସ୍ଥାନୀୟ ଲୋକେ ଅଟକାଇଥିଲେ। ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ନ ଚାଲିବା ପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍‌କୁ ଛଡ଼ାଯିବନି ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହାପରେ ଅଟକି ଯାଇଥିବା ରେଳ ପୁଣି ପାରାଦୀପ ବନ୍ଦରକୁ ଫେରିଯାଇଥିଲା। ଏହାର ସମାଧାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ବସିଥିଲା।ନୂଆ ରେଳପଥରେ ପ୍ରଥମେ ମାଲବାହୀ ରେଳ ଚଳାଚଳ କରିବାର ଆବଶ୍ୟକତା ରହିଛି। ମାଲବାହୀ ରେଳ ଚାଲିଲେ ନୂଆ ରେଳଲାଇନ୍‌ର ସମସ୍ତ ସୁବିଧା ଅସୁବିଧାକୁ ସଜଡ଼ା ଯାଇପାରିବ। ଫଳରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ବେଳକୁ ଏହି ସମସ୍ୟା ଦୂର ହୋଇ ସାରିଥିବ ବୋଲି ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ମତ ଦେଇଛନ୍ତି।ଏହି ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ଚଳାଚଳ କରିବା ନେଇ ଜିଲ୍ଲାବାସୀଙ୍କର ଯେଉଁ ଆକାଂକ୍ଷା ରହିଥିଲା ତାହା ସାକାର ହେବକୁ ଯାଉଛି। ଏଥିପାଇଁ ରେଳ ବିଭାଗ ଲାଗି ଆହୁରି ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ମାଲବାହୀ ଟ୍ରେନ୍ ଚାଲିବା ପରେ ଯାତ୍ରୀବାହୀ ଟ୍ରେନ୍ ଚାଲିବାର ବାଟ ବାହାରିବ ବୋଲି ରିଙ୍କେଶ ରାୟ ସୂଚନା ଦେଇଛନ୍ତି।ଏହି ବୈଠକରେ ପାରାଦୀପ ବନ୍ଦର ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ବ୍ୟତୀତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଶାଚୀ ନାୟକ ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comment