ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି
  • ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର କାର୍ଯ୍ୟକ୍ରମରେ ସାମିଲ

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ସଙ୍କଟମୟ ପରିସ୍ଥିତିରେ ଗତି କରୁଛି। ବିଭିନ୍ନ ଉତ୍ପାଦନ ବା ପ୍ରଡକ୍ସନ କ୍ଷେତ୍ର ଏବଂ ବ୍ୟବସାୟ କ୍ଷେତ୍ର ଆଦି ପ୍ରଭାବିତ ହୋଇଛି। ଏଥିରୁ ମୁକୁଳିବା ପାଇଁ ସମସ୍ତେ ନୂଆ ବାଟ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ଏଥରର ପ୍ରସଙ୍ଗ ରହିଛି ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି’।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଅଗଷ୍ଟ ୧୬ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ୧୨ତମ ଅଧ୍ୟାୟରେ ‘କୋଭିଡ୍‌-୧୯: ଆଗାମୀ କାଲି ପାଇଁ ପ୍ରସ୍ତୁତି’ ସମ୍ପର୍କରେ ଆଲୋଚନା କରାଯାଇଛି।

ଏଥର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସମାଜର ଆଗଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିତ୍ୱମାନେ। ସେମାନଙ୍କ ଭିତରେ ଅଛନ୍ତି ମୋ’ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, ଆକ୍ସନ ଏଡ୍‌ ଇଣ୍ଡିଆର ନ୍ୟାସନାଲ ମ୍ୟାନେଜର ଘାସିରାମ ପଣ୍ଡା, ଆଇନାର ସମ୍ପାଦକ ସ୍ନେହ ମିଶ୍ର, ଅର୍ଚ୍ଚନା ସୋରେଙ୍ଗ।

‘‘କୋଭିଡ୍‌ ମହାମାରୀ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ଶ୍ରମିକ ଆଦି ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ ଆଗକୁ ଯିବା ପାଇଁ ରାସ୍ତା ଖୋଜୁଛନ୍ତି। ୟୁନିସେଫ୍‌ ରାଜ୍ୟ ସରକାରଙ୍କ ସହ ମିଶି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି’’, କହିଛନ୍ତି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌।

ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ କରୋନା କବଳରେ ଓଡ଼ିଶା ରହିଛି। କରୋନା କେବେ ଯିବ ତାକୁ ହିଁ ସମସ୍ତେ ଅପେକ୍ଷା କରିଥିବା ବେଳେ ଏବେ ସଂକ୍ରମଣ ହାର କମୁଥିବା ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।

ସେ କହିଛନ୍ତି ଯେ, କୌଣସି ମହାମାରୀକୁ ନିୟନ୍ତ୍ରଣକୁ କରିବାକୁ ହେଲେ ତିନୋଟି ଜିନିଷ ସ୍ପିଡ୍‌, ନମ୍ବର ଏବଂ ରିଚ୍‌ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହାସହ ଏବେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌, ଟ୍ରୁନାଟ୍‌ ମେସିନ୍‌ ଏବଂ ଆର୍‌ଟିପିସିଆର୍‌ ମାଧ୍ୟମରେ ଅଧିକ ଟେଷ୍ଟିଂ କରାଯାଉଛି। ଏହାସହ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି। ଏହାଦ୍ୱାରା ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି କି ନାହିଁ ଜଣାପଡୁଛି।

କରୋନା ମହାମାରୀ ବେଳେ ପାରିବାରିକ ହିଂସା ବଢ଼ିଛି। ବିଶେଷକରି ମହିଳାମାନେ ଏହି ହିଂସାର ବେଶୀ ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ଦରକାର ସେ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ କର୍ମୀ ତଥା ଆଇନାର ସମ୍ପାଦିକା ସ୍ନେହ ମିଶ୍ର।

‘‘କରୋନା ପୂର୍ବରୁ ମଧ୍ୟ ମହିଳାମାନେ ବିଭିନ୍ନ ହିଂସାର ଶିକାର ହେଉଥିଲେ। ହେଲେ ଏବେ କୋଭିଡ୍‌ ବେଳେ ଏହା ଅଧିକ ବଢ଼ି ଯାଇଛି। ଘରୋଇ ହିଂସା ରୋକିବା ପାଇଁ ଯେଉଁ ସଂସ୍ଥାମାନେ କାମ କରୁଛନ୍ତି ସେମାନେ ଳକ୍‌ଡାଉନ୍‌ ସମୟରେ ମହିଳାମାନଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି। ପୋଲିସ ଏବେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳନ କରିବା କାମରେ ଲାଗି ପଡ଼ିଛି। ଫଳରେ ଘରୋଇ ହିଂସାର ଶିକାର ହେଉଥିବା ମହିଳା ଓ ଶିଶୁମାନେ ଅଭିଯୋଗ କରିବାର ସୁଯୋଗ ପାଉ ନାହାନ୍ତି। ଏଣୁ ଏଥିପ୍ରତି ସମସ୍ତେ ସଜାଗ ହେବା ଦରକାର’’, କହିଛନ୍ତି ସ୍ନେହ ମିଶ୍ର।

କରୋନା ମହାମାରୀ ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହିଛନ୍ତି। ଫଳରେ ପିଲାମାନଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। ଆଗାମୀ ଦିନରେ ପିଲାମାନଙ୍କ ପାଇଁ କ’ଣ ରାସ୍ତା ରହିଛି ଏବଂ ସେମାନେ ଆଗାମୀକାଲି ପାଇଁ କେମିତି ପ୍ରସ୍ତୁତ ହେବେ ସେ ସମ୍ପର୍କରେ ମୋ’ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

‘‘କୋଭିଡ୍‌ ମହାମାରୀ ପାଇଁ ଚିରାଚରିତ ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିବାରୁ ଆମକୁ ନୂତନତ୍ୱକୁ ସ୍ୱୀକାର କରିବାକୁ ପଡ଼ିବ। ଶିକ୍ଷାଦାନ ଏବଂ ଏହାର ପଦ୍ଧିତିକୁ ପୁନଃବିଚାର କରିବାକୁ ହେବ। ଏବେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରିବା ପାଇଁ ଯୋଜନା ଚାଲିଛି। ଅନଲାଇନ ଶିକ୍ଷା ପାଇଁ କେବଳ ଇଣ୍ଟରନେଟ୍‌ କିମ୍ବା ସ୍ମାର୍ଟଫୋନର ଆବଶ୍ୟକତା ନାହିଁ, ମାନସିକ ଏବଂ ବୌଦ୍ଧିକ ସ୍ତରରେ ସମସ୍ତଙ୍କୁ ପ୍ରସ୍ତୁତ କରିବାକୁ ହେବ। ଏହି ପରିବର୍ତ୍ତନଶୀଳ ବ୍ୟବସ୍ଥାରେ ମୋ ସ୍କୁଲ ଅଭିଯାନ ବିଶେଷ ପଦକ୍ଷେପ ନେବାକୁ ଯାଉଛି। ଏଥିରେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା, ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇଛନ୍ତି’’, କହିଛନ୍ତି ସୁସ୍ମିତା ବାଗ୍‌ଚି।

କରୋନା ପିଲାମାନଙ୍କୁ ବେଶ୍ କଲବଲ କରିଦେଲା। ବିଶେଷକରି ଯେଉଁ ପିଲାମାନଙ୍କ ଜୀବନରେ ଅଧିକ ସମସ୍ୟା ଭରି ରହିଛି, ସେମାନେ ଆଗକୁ ଯିବା ରାସ୍ତା ଖୋଜୁଛନ୍ତି। ଏ ସମ୍ପର୍କରେ ଆକ୍ସନ ଏଡ୍‌ର ‘ବାଲ୍ୟ ବିବାହ ବିରୋଧୀ କାର୍ଯ୍ୟକ୍ରମ’ର ନ୍ୟାସନାଲ୍ ମ୍ୟାନେଜର ଘାସିରାମ ପଣ୍ଡା। ପିଲାଙ୍କ ପ୍ରତି ସୃଷ୍ଟି ହେଉଥିବା ଏହି ବିପଦକୁ କିପରି ଟାଳି ହେବ ସେ ଏ ସମ୍ପର୍କରେ କହିଛନ୍ତି।

କରୋନାକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷକରି ଯୁବପିଢ଼ିମାନେ ଏନେଇ ଦୃଢ଼ତା ଦେଖାଇଛନ୍ତି। ତେବେ ଏ ସମ୍ପର୍କରେ ସୁନ୍ଦରଗଡ଼ର ଝିଅ ତଥା ଜଳବାୟୁ ପରିବର୍ତ୍ତନ ବିଷୟରେ ଗଠିତ ଜାତିସଂଘର ୟୁଥ୍ ଆଡଭାଇଜରି ଗ୍ରୁପର ସଦସ୍ୟ ଭାବେ ମନୋନୀତ ହୋଇଥିବା ଅର୍ଚ୍ଚନା ସୋରେଙ୍ଗ୍ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ସେ କହିଛନ୍ତି ଯେ, ‘‘ଚାରିଆଡୁ ପରିବେଶ ପ୍ରଦୂଷଣର ଖବର ଅସୁଛି। ଫଳରେ ଜଳବାୟୁ ପରିବର୍ତ୍ତନ ଭଳି ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଯୁବପିଢ଼ିମାନେ ଆଗକୁ ଆସି ଲୋକଙ୍କୁ ସଚେତନ କରିବା ଦରକାର। ପ୍ରଥମେ ଯୁବପିଢ଼ିଙ୍କୁ ଜଳବାୟୁ ପରିବର୍ତ୍ତନ କ’ଣ ପାଇଁ ହେଉଛି ତାହା ବୁଝିବା ଦରକାର। ଏହାସହ ବିଭିନ୍ନ ନିୟମ କାନୁନ ବିଷୟରେ ଜାଣିବା ଦରକାର।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment