ଓଡିଶାଲାଇଭ୍ ବ୍ୟୁରୋ

ପ୍ଲଟ୍ ବ୍ୟବସାୟରୁ ଅପହରଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚରେ। ଗତ ଅଗଷ୍ଟ ୧୪ ତାରିଖରେ ଦଶପଲ୍ଲା ଜଗନ୍ନାଥପୁରପାଟଣା ଗାଁର ସୁଦର୍ଶନ ସାହୁଙ୍କୁ ୧୦ରୁ ଅଧିକ ଅଭିଯୁକ୍ତ ଅପହରଣ କରି ତାଙ୍କ ନାମରେ ଥିବା ମୂଲ୍ୟବାନ ଜମିକୁ ସେଲ୍ ଏଗ୍ରିମେଣ୍ଟ କରାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନୂଆଗାଁ ପୋଲିସ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତମାନେ ହେଲେ ଯିତେନ୍ଦ୍ର କୁମାର ସାହୁ, ସୁଜିତ କୁମାର ପ୍ରଧାନ, ଜ୍ଞାନରଞ୍ଜନ ସେଠୀ ଏବଂ ସନ୍ତୋଷ କୁମାର ପ୍ରଧାନ।

ଅଭିଯୋଗ ଅନୁଯାୟୀ, ପ୍ଲଟ୍ ବ୍ୟବସାୟୀ ସୁଦର୍ଶନ ଅଗଷ୍ଟ ୧୪ ତାରିଖରେ ନୟାଗଡ଼ରୁ ନିଜ କାରରେ ଦଶପଲ୍ଲା ଫେରୁଥିଲେ। ଅପରାହ୍ନ ପ୍ରାୟ ୨ଟାରେ ନୂଆଗାଁ ଥାନା କୋରଡ଼ା ନିକଟରେ ଅନ୍ୟ ଏକ କାର ସୁଦର୍ଶନଙ୍କ କାରକୁ ଅଟକାଇଥିଲା। ସେଥିରେ ବସିଥିବା ୫ ଜଣ ଯୁକବ ସୁଦର୍ଶନଙ୍କ ବେକରେ ଭୂଜାଲି ଲଗାଇ ଓ.ଆର୍‌-୦୨ବିପି-୦୦୪୯ ନମ୍ବର ବିଶିଷ୍ଠ କାରରେ ବସାଇ ତାଙ୍କୁ ଅପହରଣ କରି ନେଇଥିଲେ।ଅପହରଣକାରୀଙ୍କ ମଧ୍ୟରେ ସୁଦର୍ଶନଙ୍କ ପାର୍ଟନର ବ୍ରଜେନ୍ଦ୍ର ପ୍ରସାଦ ଧଳ ଅନ୍ୟତମ ଅଭିଯୁକ୍ତ ରହିଥିବା ଅଭିଯୋଗ ହୋଇଛି। ଅପହରଣ କରିବା ପରେ ଅଭିଯୁକ୍ତମାନେ ସୁଦର୍ଶନଙ୍କୁ ଦଶପଲ୍ଲା କଲେଜ ପାଖ ଜଙ୍ଗଲରେ ରଖିଥିଲେ। ସେଠାରେ ନାନା ଧମକ ଚମକ ଦେଖାଇ ତାଙ୍କ ନାମରେ ଥିବା ମୂଲ୍ୟବାନ ଜମିକୁ ଅଭିଯୁକ୍ତ ବ୍ରଜେନ୍ଦ୍ର ଓ ଅନ୍ୟ କେତେକ ଅଭିଯୁକ୍ତଙ୍କ ନାମରେ ସେଲ୍ ଏଗ୍ରିମେଣ୍ଟ କରାଇ ନେଇଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାର ଧମକ ଦେଇ ଅଭିଯୁକ୍ତମାନେ ସୁଦର୍ଶନଙ୍କୁ ଛାଡ଼ି ଦେଇଥିବା ଏତଲାରେ ଦର୍ଶାଯାଇଛି।BGUଅଭିଯୋଗ ପାଇ ନୁଆଗାଁ ପୋଲିସ୍ ୬୯/୨୦ ନମ୍ବର କେସ୍ ରୁଜୁ କରିବା ସହ ବିଭିନ୍ନ ଦଫାରେ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ବ୍ୟବହାର କରିଥିବା କାରଟିକୁ ପୋଲିସ ଜବତ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନେ ଅପହରଣକାରୀଙ୍କ ପରିଚିତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comment