ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିଷ୍ଠା ଓ ଏକାଗ୍ରତା ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ଅନେକ ନଜିର ରହିଛି। ପୁଣି ସେମିତି ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ାର ଦୁଇ ଛାତ୍ରଛାତ୍ରୀ। ଗରିବ ଚାଷୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅଦମ୍ୟ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ କେନ୍ଦ୍ରାପଡ଼ା ଜୁନିୟର ମହାବିଦ୍ୟାଳୟର ଏହି ଦୁଇ ଛାତ୍ରଛାତ୍ରୀ ଗତକାଲି ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଯଥାକ୍ରମେ ୫ମ ଓ ୧୯ ତମ ସ୍ଥାନ ଅଧିକାର କରିଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଣତା ପଞ୍ଚୟତର କୁନ୍ଦୁପୁର ଗାଁର ସୁକାନ୍ତ ପଣ୍ଡାଙ୍କ ପୁଅ ସୁନିଲ ପଣ୍ଡା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ୫୫୫ ନମ୍ବର ରଖି ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସୁନୀଲଙ୍କ ବାପା ସୁକାନ୍ତ ଚାଷ କାମ କରି ପରିବାର ଚଳାନ୍ତି। ନିପଟ ମଫସଲିଆ ଗାଁରେ ରହି ପାଠ ପଢୁଥିବା ସୁନିଲ ନିଜ ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଥିବା କେନ୍ଦ୍ରାପଡ଼ା ଜୁନିୟର କଲେଜର ଅଧ୍ୟକ୍ଷ ଡକ୍ଟର ରାଜକିଶୋର ତ୍ରିପାଠୀ କହିଛନ୍ତି। ଜିଲ୍ଲାକୁ ଗର୍ବିତ କରିଥିବା ସୁନିଲଙ୍କୁ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସମ୍ମାନିତ କରାଯାଇଛି।ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଗୌଡ଼ପାଟଣା ଗାଁର ମହେଶ୍ଵର ପରିଡ଼ାଙ୍କ ଝିଅ ଆଶାରାଣୀ ପରିଡ଼ା ମୋଟ ୫୪୭ ନମ୍ବର ରଖି ରାଜ୍ୟରେ ୧୯ତମ ସ୍ଥାନ ଅଧିକାର କରିଛନ୍ତି। ଆଶାରାଣୀ ମଧ୍ୟ ଗୋଟିଏ ଚାଷୀ ପରିବାରର ଝିଅ। ନିଜର କର୍ତ୍ତବ୍ୟ ନିଷ୍ଠା ଓ ଏକାଗ୍ରତା ବଳରେ ଆଶାରାଣୀଙ୍କୁ ଏହି ସଫଳତା ମିଳିଛି। ସେ ମଧ୍ୟ ଜଣେ ସଫଳ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଆଶାରାଣୀଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି।

ଉଭୟ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ରାଜକିଶୋର ତ୍ରିପାଠୀ ଦୁଇ ଛାତ୍ରଛାତ୍ରୀଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ପାଇଁ ମହାବିଦ୍ୟାଳୟ ଗର୍ବିତ ବୋଲି କହିଛନ୍ତି।

Comment