ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବା ପରେ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଅବସର ଘୋଷଣା କରିବା ପରେ ମୋଦୀ ଧୋନୀଙ୍କ ସଫଳତାକୁ ପ୍ରଶଂସା କରି ଏକ ଚିଠି ଲେଖିଛନ୍ତି।ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି, କିନ୍ତୁ କିଛି ବର୍ଷ ମଧ୍ୟରେ ଧୋନୀ ଭାରତ ପାଇଁ ଯାହା କରିଛନ୍ତି ସେଥିପାଇଁ ଚିଠିରେ ଧନ୍ୟବାଦ ଜଣାଇଛନ୍ତି ମୋଦୀ।BGU

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କଠିନ ପରିସ୍ଥିତିରେ ତୁମ ନିର୍ଭରଶୀଳତା ଏବଂ ମ୍ୟାଚ୍ ଶେଷ କରିବାର ଶୈଳୀ ବିଶେଷକରି ୨୦୧୧ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଲୋକଙ୍କ ମନରେ ରହିବ।

‘‘ଭାରତକୁ ବିଶ୍ୱର ଏକ ନମ୍ବର ଦଳ ଭାବେ ପରିଣତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।  କ୍ରିକେଟ୍ ଇତିହାସରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଅଧିନାୟକ ଏବଂ ଶ୍ରେଷ୍ଠ ୱିକେଟ୍ କିପରଙ୍କ ମଧ୍ୟରେ ତୁମର ନାମ ଗଣାଯିବ’’, ଲେଖିଛନ୍ତି ମୋଦୀ।

ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧୋନୀ ଟୁଇଟ କରି ଲେଖିଛନ୍ତି, ”ଜଣେ କଳାକାର, ସୈନ୍ୟ, କ୍ରୀଡ଼ାବିତ୍ ସର୍ବଦା ପ୍ରଶଂସା ଚାହାଁନ୍ତି। ସେମାନେ ଚାହାଁନ୍ତି ଯେ ସମସ୍ତେ ସେମାନଙ୍କର ପରିଶ୍ରମ ଏବଂ ବଳିଦାନକୁ ଚିହ୍ନନ୍ତୁ। ଆପଣଙ୍କ ପ୍ରଂଶସା ପାଇଁ  ଧନ୍ୟବାଦ।”

୩୯ ବର୍ଷୀୟ ଧୋନୀ ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।  ଧୋନୀଙ୍କ ଅଧିନାୟକତ୍ୱରେ ୨୦୦୭ରେ ଭାରତ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା। ଏହା ପରେ ୨୦୧୧ ରେ ବିଶ୍ୱକପ୍ ଜିତିଥିଲା।

Comment