ଓଡିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତର ତିନୋଟି ରାଜସ୍ଵ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ତେନ୍ତୁଳିଖୁଣ୍ଟି ସରପଞ୍ଚ ମୃତ୍ୟୁଞ୍ଜୟ ନାୟକ ସୂଚନା ଦେଇଛନ୍ତି।

ସଦର ତେନ୍ତୁଳିଖୁଣ୍ଟିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତେନ୍ତୁଳିଖୁଣ୍ଟି ଗ୍ରାମରୁ ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସରକାରଙ୍କ କୋଭିଡ୍ ନିୟମକୁ ଅଣଦେଖା କରି ସାଧାରଣ ଜନତା ବିନା କାର୍ଯ୍ୟରେ ଏଣେତେଣେ ବୁଲାବୁଲି କରୁଛନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି, ଉଦୟପୁର ଏବଂ ଖଣ୍ଡିଆ ଗୁଡ଼ା ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।ଆଜି ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍ ନିୟମ ବଳବତ୍ତର ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦୟପୁର, ତେନ୍ତୁଳିଖୁଣ୍ଟି ଏବଂ ଖଣ୍ଡିଆ ଗୁଡ଼ା ରାଜସ୍ଵ ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଛି।

ଏହି ୪୮ ଘଣ୍ଟିଆ ସଟ୍‌ଡାଉନ୍ ନିୟମକୁ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ କହିଛନ୍ତି। ଏଥିସହ ସରପଞ୍ଚ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପ୍ରମୋଦ କୁମାର ନାୟକଙ୍କୁ ସାକ୍ଷାତ କରି ଦୁଇଦିନିଆ ସଟ୍‌ଡାଉନ୍‌କୁ ଯେଭଳି ସାଧାରଣ ଜନତା ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରିଛନ୍ତି।BGUସଟ୍‌ଡାଉନ୍ ସମୟରେ କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ, ବଜାର ଓ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ନବରଙ୍ଗପୁର ଜିଲ୍ଲାପାଳ, ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ, ତେନ୍ତୁଳିଖୁଣ୍ଟି ବିଡିଓ, ତହସିଲଦାର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ସୂଚନା ମିଳିଛି।

Comment