ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମୟରେ ଦେଶରେ ନିଟ୍-ଜେଇଇ ପରୀକ୍ଷାକୁ ବାତିଲ୍ କରାଯାଉ। କେନ୍ଦ୍ର ସରକାର ଜାଣି ଜାଣି ପିଲାମାନଙ୍କ ଜୀବନକୁ ବିପଦ ଆଡ଼କୁ ଠେଲି ଦେଉଛନ୍ତି। ଏଭଳି ଅଭିଯୋଗ କରି କଂଗ୍ରେସ ସମେତ ୭ଟି ରାଜ୍ୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।

ବୁଧବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ନିଟ୍ ଓ ଜେଇଇ ପରୀକ୍ଷା ବାତିଲ୍ କରିବାକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।“ନିଟ୍-ଜେଇଇ ପରୀକ୍ଷାରେ ଲକ୍ଷାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି। ଏଣୁ କରୋନା ମହାମାରୀ ପରିସ୍ଥିତିରେ ପରୀକ୍ଷା କରାଇବା ମାନେ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲିବା ସହ ସମାନ। ଯଦି କେନ୍ଦ୍ର ସରକାର ଏ ପ୍ରସଙ୍ଗରେ କିଛି କରୁନାହାନ୍ତି, ତେବେ ଆମ ସଭିଁଙ୍କୁ ଛାତ୍ରଛାତ୍ରୀମାନଙ୍କ ସହ ଛିଡ଼ାହେବା ଆବଶ୍ୟକ। ଆମକୁ ଲୋକମାନେ ନିର୍ବାଚିତ କରିଛନ୍ତି। ଏଣୁ ଆମେ ମିଶିକରି ଏ ଲଢ଼େଇ ଲଢ଼ିବା”, କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।BGU

ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସୋନିଆ ଗାନ୍ଧୀଙ୍କ ସମେତ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭେଲୁ ନାରାୟଣ ସ୍ଵାମୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଆଦି ସାମିଲ ହୋଇଥିଲେ। ବୈଠକରେ ନିଟ୍-ଜେଇଇ ପରୀକ୍ଷା ପ୍ରସଙ୍ଗ ସହିତ ଜିଏସ୍‌ଟି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା।

Comment