ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ କରୋନା ସଂକ୍ରମଣ ସାଘାଂତିକ ହେଉଛି। ଜିଲ୍ଲାର ବିଭିନ୍ନ ଜେଲ୍‌ରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ଦୁଇଟି ଜେଲରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେଲ୍ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି।

ଗତକାଲି ରାୟଗଡ଼ା ଉପକାରାଗାରରୁ ୧୫୭ ଜଣ ଅନ୍ତେବାସୀଙ୍କ ସମେତ ୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଣପୁର ଉପକାରାଗାରର ୬୧ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ମହିଳା ଅନ୍ତେବାସୀ ଥିବା ଜଣାପଡ଼ିଛି।

ଅନ୍ତେବାସୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ଉପରିସ୍ଥ ଅଧିକାରୀ ଜେଲ କର୍ତ୍ତୃପକ୍ଷକୁ ପରାମର୍ଶ ଦେବା ପରେ ଜେଲ ଭିତରେ ୭ ଜଣିଆ ମେଡିକାଲ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଜଣାପଡ଼ିଛି। ଜେଲ ଭିତରେ ସଙ୍ଗରୋଧ କେନ୍ଦ୍ର କରାଯାଇ ସେଠାରେ ସଂକ୍ରମିତଙ୍କୁ ରଖାଯାଇଥିବା ସୂଚନା ମିଳିଛି।BGUସେହିପରି ଗୁଣୁପୁର ଉପଖଣ୍ଡସ୍ଥିତ ଉପକାରାଗାରରେ ମଧ୍ୟ କରୋନା ପଶିଛି। ଏହି କାରାଗାରରେ ମୋଟ ୯୩ ଜଣଙ୍କ ମଧ୍ୟରୁ ୫୬ ଜଣ ଅନ୍ତେବାସୀ ଓ ଦୁଇଜଣ ଜେଲ କର୍ମଚାରୀଙ୍କୁ କରୋନା ହୋଇଛନ୍ତି। ଏଥିସହ ପୂର୍ବରୁ ଆକ୍ରାନ୍ତ ହୋଇଥିବା ୩ ଜଣ କୋଭିଡ୍ ରୋଗୀ ଗତକାଲି ସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମକୁ ଜେଲ ପରିସରରେ ନିୟୋଜିତ କରାଯାଇଛି।

ଜିଲ୍ଲାରେ ମୋଟ ଦୁଇଟି ଉପକାରଗାରରୁ ମୋଟ ୨୧୮ ଜଣଙ୍କୁ କରୋନା ହୋଇଥିବା ସ୍ପଷ୍ଟ ସୂଚନା ମିଳିଛି। ଆକ୍ରାନ୍ତଙ୍କୁ ଜେଲ ଭିତରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଉପରୋକ୍ତ ଆକ୍ରାନ୍ତ ଲକ୍ଷଣବିହୀନ ହୋଇଥିବାରୁ ଭୟଭୀତ ହେବା ଆବଶ୍ୟକ ନାହିଁ। କରୋନା କିଟ୍ ପ୍ରଦାନ କରିବା ସହ ସମସ୍ତଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।ସେହିପରି ରାୟଗଡ଼ା ଉପକାରାଗାରରେ ଥରକେ ୧୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ଚେତା ହଜିଛି। ଜେଲ ଭିତରେ ଥରକେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଲା ପରେ ପ୍ରଶାସନିକ ଅଧିକାରୀ ଜେଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତକାଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ, ଜିଲ୍ଲା ଦୌରାଜର୍ଜ ଚିତରଞ୍ଜନ ଦାଶ ଓ ଆଇନସେବା ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରମୁଖ ଜେଲ ପରିସରରେ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖି ଡାକ୍ତରୀସେବା ପ୍ରଦାନ କରିବାକୁ ସେମାନେ ଜେଲ ଅଧୀକ୍ଷକଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।

Comment