ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ତାଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସଠାରେ ପହଞ୍ଚିବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବେଦବ୍ୟାସସ୍ଥିତ ସ୍ୱର୍ଗଦ୍ୱାରରେ କୋଭିଡ୍‌ କଟକଣା ଭିତରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା, ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ମହାନଗର ନିଗମ ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ତଥା ଡାକ୍ତରମାନେ ବେଦବ୍ୟାସ ସ୍ୱର୍ଗଦ୍ୱାର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ଗତ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସେ ରାଉରକେଲା ଆଇଜିଏଚ୍‌ରେ ବରିଷ୍ଠ ଉପନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Comment