ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଷ୍ଠିତ ଫର୍ଚ୍ୟୁନ ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ୍ ବୟସ ବର୍ଗରେ ବିଶ୍ୱର ୪୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ୨୮ବର୍ଷୀୟ ଯମଜ ଝିଅ ଓ ପୁଅ ଈଶା ଏବଂ ଆକାଶ ଅମ୍ବାନୀ ସ୍ଥାନ ପାଇଛନ୍ତି। ୨୦୨୦ ବର୍ଷ ପାଇଁ ଆର୍ଥିକ କ୍ଷେତ୍ର, ପ୍ରଯୁକ୍ତି. ସ୍ୱାସ୍ଥ୍ୟସେବା, ସରକାର ଓ ରାଜନୀତି ଏବଂ ମିଡିଆ ଓ ମନୋରଞ୍ଜନ ଭଳି ୫ଟି ବର୍ଗରେ ଏହି ତାଲିକା ପ୍ରକାଶ ପାଇଛି।

ଫର୍ଚ୍ୟୁନ୍ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଡାଟା ହେଉଛି ନୂଆ ତୈଳ, ଯାହା ଭାରତର ସର୍ବବୃହତ୍ କମ୍ପାନି ରିଲାଏନ୍ସ ଇଣ୍ଟଷ୍ଟ୍ରିଜ କ୍ଷେତ୍ରରେ ବେଶ୍ ପ୍ରଯୁଜ୍ୟ। ୪୭ ବର୍ଷ ପୁରୁଣା ଏହି କମ୍ପାନି ପେଟ୍ରୋଲିୟମ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିବା ପରେ ୨୦୧୬ରେ ଆରମ୍ଭ ହୋଇଥିବା ଜିଓ ଜରିଆରେ ଭାରତର ମୋବାଇଲ ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଛି ବୋଲି ଫର୍ଚ୍ୟୁନ୍ ପକ୍ଷରୁ କୁହାଯାଇଛି।

ଆକାଶ ଅମ୍ବାନୀଙ୍କ  ସମ୍ପର୍କରେ ଉଲ୍ଲେଖ କରି ଏଥିରେ କୁହାଯାଇଛି ଯେ, ବ୍ରାଉନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ ପରେ ୨୦୧୪ ମସିହାରେ ଆକାଶ କମ୍ପାନିରେ ଯୋଗ ଦେଇଥଲେ। ଏହାର ଠିକ୍ ବର୍ଷକ ପରେ ଈଶା ୟେଲ୍‌, ଷ୍ଟାନଫୋର୍ଡ ଓ ମ୍ୟାକିନ୍‌ସେରେ ଅଭିଜ୍ଞତା ହାସଲ କରି କମ୍ପାନିରେ ଯୋଗ ଦେଇଥିଲେ। ଜିଓର ନିର୍ଦ୍ଦେଶକମଣ୍ଡଳୀ ସଦସ୍ୟ ଭାବେ ସେମାନେ ନିକଟରେ କମ୍ପାନିର ଫେସବୁକ ସହ ହୋଇଥିବା ୫.୭ ବିଲିୟନ ଡଲାରର ମେଗା ଡିଲ୍ ଚୂଡାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହିତ ଗୁଗୁଲ, କ୍ୱାଲକମ୍ ଓ ଇନଟେଲ୍ ଭଳି ଅଗ୍ରଣୀ ପ୍ରଯୁକ୍ତି କମ୍ପାନିଙ୍କଠାରୁ ପୁଞ୍ଜିନିବେଶ ଆଣିବାରେ ସଫଳ ହୋଇଛନ୍ତି। ଏହି ଭଳି କ୍ରମାଗତ ପୁଞ୍ଜି ନିବେଶ ବଳରେ କମ୍ପାନିର ଘରୋଇ ମୂଲ୍ୟାୟନ ୬୫ ବିଲିୟନ ଡଲାର ହୋଇଥିବା ଫର୍ଚ୍ୟୁନ ପକ୍ଷରୁ କୁହାଯାଇଛି।BGUଇ-କମର୍ସ ଏକ ପ୍ରମୁଖ କ୍ଷେତ୍ର ହେବାକୁ ଯାଉଥିବା ବେଳେ ଆକାଶ ଓ ଈଶା ନିକଟରେ ଜିଓ ମାର୍ଟ ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।  ଏହା ଭାରତର ବିଶାଳ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନଲାଇନ୍ ସପିଂ ବଜାର ଦଖଲ କରିବା ଦିଗରେ ଆମାଜନ୍ ଏବଂ ୱାଲମାର୍ଟର ଫ୍ଲିପକାର୍ଟ ସହ ପ୍ରତିଦ୍ୱନ୍ଦିତା କରିବ ବୋଲି ଫର୍ଚ୍ୟୁନ ପ୍ରକାଶ କରିଛି।

ଫର୍ଚ୍ୟୁନ ପକ୍ଷରୁ ୨୦୨୦ ବର୍ଷ ପାଇଁ ୪୦ ବର୍ଷରୁ କମ୍ ବର୍ଷୀୟ ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକାରେ ଇଶା ଓ ଆକାଶଙ୍କ ବ୍ୟତୀତ ଅନଲାଇନ୍ ଶିକ୍ଷା ପ୍ଲାଟପର୍ମ ବାଇଜୁସ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ରବୀନ୍ଦ୍ରନ୍ ଏବଂ ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସ୍ଥାନ ପାଇଛନ୍ତି।

Comment