ଓଡ଼ିଶାଲାଇଭ୍ ବ୍ୟୁରୋindian-army-chief

ଭାରତ-ଚୀନ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ତଥା ଉତ୍ତେଜନାପୂର୍ଣ୍ଣ ରହିଛି। କିନ୍ତୁ ଆମ ଯବାନ ଏବଂ ଅଧିକାରୀମାନେ ସବୁ ପ୍ରକାର ଆହ୍ଵାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଲ୍‌ଏସିରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ। ସୀମାରେ ଉଭୟ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍ କରିବା ପାଇଁ ଲଗାତାର ବିଚାର ବିମର୍ଷ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ଜେନେରାଲ ଏମ୍‌ଏମ୍‌ ନରଓ୍ଵାଣେ କହିଛନ୍ତି, “ଆମର ସୁରକ୍ଷା ପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛୁ। ତିନି ମାସ ଧରି ସୀମାରେ ଉତ୍ତେଜନା ଲାଗି ରହିଛି। ତେବେ ସ୍ଥିତିରେ ସୁଧାର ପାଇଁ ସେନା ଏବଂ କୁଟନୈତିକ ସ୍ତରର ଉଦ୍ୟମ ଚାଲିଛି। କଥାବାର୍ତ୍ତା ଦ୍ଵାରା ନିଶ୍ଚୟ ଏହାର ସମାଧାନ ହେବ।”ସେ ଆହୁରି କହିଛନ୍ତି ଯେ, ଆମ ଯବାନମାନଙ୍କ ମନୋବଳ ଦୃଢ଼ ରହିଛି ଏବଂ ସେମାନେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମ ଯବାନମାନେ ନା କେବଳ ଭାରତୀୟ ସେନା ବରଂ ଦେଶର ନାଁ ଉଚ୍ଚା କରିବେ। ଆମ ଯବାନ ଓ ଅଧିକାରୀମାନେ ସବୁଠୁ ଉତ୍କୃଷ୍ଟ। ଆମ ସାହସୀ ଯବାନଙ୍କ ପାଇଁ ପୂରା ଦେଶ ଗର୍ବିତ ବୋଲି ସେନାମୁଖ୍ୟ କହିଛନ୍ତି।BGUଚୀନର ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲ୍‌ଏ)ର ସୈନ୍ୟମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାକୁ କମ୍ କରିବା ପାଇଁ ଉଭୟ ଦେଶର ସୈନ୍ୟ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ତେଣୁ ସୀମାରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତୀୟ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ଵାଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି। ଗତକାଲି ଏମ୍‌ଏମ୍ ନରଓ୍ଵାଣେ ଲେହରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

Comment