ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଓ ନିୟନ୍ତ୍ରଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଲ ସିଂ ଅଧ୍ୟକ୍ଷତା କରିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।

ସ୍ପେଶାଲ ଏଡିଏମ୍‌ ବିଶାଲ ସିଂ କୋଭିଡ୍ ନିୟମାବଳୀ ପାଳନ ଓ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ପାଇଁ ଗୁରୁତ୍ଵ ଦେଇଛନ୍ତି। ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତା ବଜାୟ ନରଖିଲେ ଏବଂ କୋଭିଡ୍ ନିୟମ ଉଲଂଘନ କଲେ ଜରିମାନା ଆଦାୟ କରାଯିବ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।

ଏଥିପାଇଁ ପ୍ରତି ବ୍ଲକ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ତହସିଲଦାର ଓ ବିଡିଓମାନେ ନିୟମର କାର୍ଯ୍ୟକାରିତା ତଦାରଖ କରିବେ। ଏଥିସହ କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ। ତେବେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଛି।

ସେହିପରି ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଘର ଆଗରେ ପୋଷ୍ଟର ମରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ଵାରା ଲୋକମାନେ ତାଙ୍କୁ କରୋନା ହୋଇଥିବା ନେଇ ସୂଚନା ପାଇପାରିବେ।BGUଏବେ ଜିଲ୍ଲାରେ ଅଧିକ ନମୂନା ସଂଗ୍ରହ ଓ ପରୀକ୍ଷା କରାଯାଉଛି। ଲୋକମାନଙ୍କୁ ସଚେତନ କରିବା ସହ ସତର୍କ ରହିବା ଏବଂ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଗୁରୁତ୍ଵ ଦିଆଯାଉଛି। ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ପରୀକ୍ଷା କରାଯିବ। ଏଥିସହ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ମିଳିଛି।

ଏହି ବୈଠକରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ରାଜସ୍ଵ ବିଭାଗ ଅତିରିକ୍ତ ଜିଲ୍ଲାପାଳ ଅନୁଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ଖୋର୍ଦ୍ଧା ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ମ୍ୟୁନିସିପାଲିଟି, ବୋଲଗଡ଼ ଓ ବେଗୁନିଆ ବିଡିଓ, ବେଗୁନିଆ ଓ ଟାଙ୍ଗୀ ତହସିଲଦାର, ବୋଲଗଡ଼, ବେଗୁନିଆ ଓ ଟାଙ୍ଗୀ ସିଡିପିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।

Comment