ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ
  • କନଫରେନ୍ସ ରୁମ୍‌ ସ୍ଥାପନ ସହ ଖଞ୍ଜାଯିବ ସିସିଟିଭି
  • ହେଲ୍‌ପ ଡେସ୍କ କାମ ନ କଲେ ହସ୍ପିଟାଲ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସମ୍ପର୍କରେ ସେମାନଙ୍କ ଘରଲୋକ କିଛି ଜାଣିପାରୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ତେଣୁ ଏବେଠାରୁ କୋଭିଡ୍‌-୧୯ ଚିକିତ୍ସା ଦେଉଥିବା ରାଜ୍ୟର ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ରହିବ ହେଲ୍ପ ଡେସ୍କ। ଏଣିକି ରୋଗୀଙ୍କ ସମ୍ପର୍କରେ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଏହି ଡେସ୍କ ସବୁ ପ୍ରକାର ତଥ୍ୟ ଦେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ଏହି ମାର୍ଗଦର୍ଶିକା ଜାରି କରିଛି।

ମାର୍ଗଦର୍ଶିକାରେ କି କି ପଏଣ୍ଟ ରଖିଛି ବିଭାଗ

  • କୋଭିଡ୍‌-୧୯ ଚିକିତ୍ସା ସୁବିଧା ଦେଉଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ କରିବା ବାଧ୍ୟତାମୂଳକ।
  • ଡେସ୍କରେ ଏକ ଟୋଲ୍‌ ଫ୍ରି ହେଲ୍‌ପଲାଇନ୍‌ ନମ୍ବର ରହିବ, ଯାହା ସବୁ ବିଷୟରେ ରାଜ୍ୟ ଅତିରିକ୍ତ ଡିଏମ୍‌ଇଟିଙ୍କୁ ସୂଚନା ଦେଉଥିବ।
  • ଟୋଲ୍‌ ଫ୍ରି ନମ୍ବରରେ କୋଭିଡ୍‌-୧୯ର ସବୁ ପ୍ରକାର ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବ।
  • ହେଲ୍‌ପ ଡେସ୍କ ପରିଚାଳନା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ରହିବେ ଓ ସେମାନେ ସମସ୍ତ ଫୋନ୍‌ କଲ୍‌ ରିସିଭ୍‌ କରିବେ।
  • ଟେଲିଫୋନ୍‌ରେ ଯୋଗାଯୋଗ ବ୍ୟତୀତ ହେଲ୍‌ପ ଡେସ୍କ କରୋନା ରୋଗୀଙ୍କ ଭଏସ୍‌ ଓ ଫଟୋ ହ୍ୱାଟ୍‌ସଆପ୍ ଜରିଆରେ ସମ୍ପର୍କୀୟଙ୍କୁ ଦେବେ।
  • ସବୁ କୋଭିଡ୍‌ ଚିକିତ୍ସା ସେବା ଦେଉଥିବା ହସ୍ପିଟାଲରେ ଏକ କନଫରେନ୍ସ ରୁମ୍‌ କରାଯିବ ଯେଉଁଠି ସିସିଟିଭି କ୍ୟାମେରା ଖଞ୍ଜାଯିବ, ଯାହା ଫଳରେ ସମ୍ପର୍କୀୟ ନିଜ ରୋଗୀଙ୍କୁ ଦେଖିପାରିବେ ଓ କଥା ହୋଇପାରିବେ।
  • ହସ୍ପିଟାଲରେ ଭର୍ତ୍ତି ହେବା ବେଳେ କରୋନା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଫୋନ୍‌ ନମ୍ବର ରଖାଯିବ, ଯେଉଁଥିରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରତ୍ୟେକଦିନ ସମ୍ପର୍କୀୟଙ୍କୁ ଅତି କମ୍‌ରେ ଥରେ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ୱାଟ୍‌ସଆପ୍‌ ମେସେଜ୍‌ କରାଯିବ।
  • ସପ୍ତାହକ ଭିତରେ ଏହି ହେଲ୍‌ପ ଡେସ୍କ ସ୍ଥାପନ କରିବା ପାଇଁ ମେଡିକାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ରହିଛି।
  • କୌଣସି ନିୟମ ଉଲ୍ଲଂଘନ ହେଲେ କିମ୍ବା ହେଲ୍‌ପ ଡେସ୍କ କାମ ନ କଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comment