ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଲୋକମାନେ କରୋନା ନିୟମ ମାନୁନଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା, ମାସ୍କ ପରି ଅତ୍ୟାବଶ୍ୟକ ନିୟମକୁ ଫୁ କରି ସର୍ବସାଧାରଣ ସ୍ଥାନରେ ଚଲାବୁଲା କରୁଛନ୍ତି। ଲୋକଙ୍କର ଏପରି ବେପରୁଆ ମନୋଭାବ ଯୋଗୁଁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି।

ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ରହିଥିବା ବେଳେ ଅନେକ ଲୋକ ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି। ଅନେକ ବେପରୁଆ ଭାବେ ବିନା ମାସ୍କରେ ସର୍ବସାଧାରଣରେ ବୁଲାବୁଲି କରୁଥିବା ଦେଖାଯାଉଛି।

ପ୍ରତିଦିନ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ କରୋନା ଭୂତାଣୁ ଏବେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଏପରି ଅବସ୍ଥାରେ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରିବାକୁ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଭୟ କରୁଛନ୍ତି।ଅଧିକ ଭିଡ଼ ଜମୁଥିବା ବିଭିନ୍ନ ନର୍ସିଂହୋମ, ପାଥୋଲଜି କ୍ଲିନିକ୍ ଏବଂ ଔଷଧ ଦୋକାନ ଆଦି ସ୍ଥାନରେ କୋଭିଡ୍ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ଅନେକ ସଚେତନ ନାଗରିକ ଚିନ୍ତାବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦୦ ଟିପଲାଣି। ଇତିମଧ୍ୟରେ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ସରକାରୀ ଭାବେ ୨୦ରେ ପହଞ୍ଚିଛି।

Comment