ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୨୪ ଘଣ୍ଟା ଭିତରେ ଲଗାଣ ବର୍ଷାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା। ଏହି ଅଞ୍ଚଳରେ ଥିବା ଜିଲ୍ଲାମାନଙ୍କରେ ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ହାଲକା ଧରଣର ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ବଜ୍ରାପାତ ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି।

ବର୍ଷାପରେ ଆଗାମୀ ୨ କିମ୍ବା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ବୃଷ୍ଟିପାତର ଆଶଙ୍କା ନାହିଁ। କିଛି କିଛି ଅଞ୍ଚଳରେ ଅଳ୍ପ ବର୍ଷାକୁ ଛାଡ଼ିଦେଲେ ସବୁ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ବର୍ଷା ହୋଇଛି। ଏହାସହ ତାଳଚେର, ଭୁବନେଶ୍ୱର, ମୟୂରଭଞ୍ଜରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିଛି।

Comment