ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇବା ଓ ଦାରିଦ୍ର୍ୟ ବଢ଼ିବା ବ୍ୟତୀତ ଶିଶୁ ଚାଲାଣ ଓ ଶୋଷଣ ବି ବୃଦ୍ଧି ପାଇଛି। ଅନେକ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏସବୁ ସାମ୍ନାକୁ ଆସିବା ପରେ କୋଭିଡ ସମୟରେ ଯେପରି ଶିଶୁ ଶୋଷଣକୁ ବନ୍ଦ କରିହେବ ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଆଡ଼ଭାଇଜରି ଜାରି କରାଯାଇଛି। କରୋନା ସମୟରେ ଶିଶୁମାନେ ଯେପରି ଶୋଷଣର ଶିକାର ନହୁଅନ୍ତି ତାହା ଦେଖିବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

ଓଡ଼ିଶାରେ ଶିଶୁ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା କୈଳାଶ ସତ୍ୟାର୍ଥୀ ଫାଉଣ୍ଡେସନ ମଧ୍ୟ  ଏକ ସମନ୍ୱିତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ କରୋନା ବେଳେ ଓଡ଼ିଶାରେ ଶିଶୁଙ୍କ ଶୋଷଣ ବୃଦ୍ଧି ପାଇଛି ଏବଂ ପରିସ୍ଥିତି ସଙ୍ଗୀନ ହୋଇଛି।

ହାରାହାରି ପ୍ରତିବର୍ଷ ଓଡିଶାରୁ ୨୦୦୦ ପିଲା ନିରୁଦ୍ଦିଷ୍ଟ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନାବାଳିକା। ନିରୁଦ୍ଦିଷ୍ଟ ବାଳକ ଓ ବାଳିକାଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହା ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବର୍ଷ ପୋଲିସ ବିଭାଗ ଓ ମହିଳା ତଥା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୩୧୮୮ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ରାଜ୍ୟ ପୋଲିସ ତରଫରୁ ଏଥିପାଇଁ ‘ଅପରେସନ ପରୀ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ବର୍ତ୍ତମାନ କରୋନା ଆସିବା ପରେ ଗାଁ ଗହଳିରେ ଲୋକଙ୍କ ଆର୍ଥିକ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି। ମୁଖ୍ୟତଃ ଗ୍ରାମାଞ୍ଚଳ ଶିଶୁ ହିଁ ବାହାରକୁ ଚାଲାଣ ହେଉଥିବା ଜଣାପଡିଛି। ଆଉ ଏହାର ମୂଳରେ ରହିଛି ବେରୋଜଗାର ଓ ଦାରିଦ୍ର୍ୟ।

LEAVE A REPLY

Please enter your comment!
Please enter your name here