ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କଠାରୁ ପ୍ରେରଣା ପାଇ ପତ୍ନୀଙ୍କ ପାଇଁ ଚନ୍ଦ୍ରରେ ଏକ ଏକର ଜାଗା କିଣିଛନ୍ତି ରାଓ୍ଵଲପିଣ୍ଡିର ବାସିନ୍ଦା ସାହେବ ଅହମଦ।

ମଣିଷ ପ୍ରେମ ପାଇଁ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଏବେ ଏହି କଥାକୁ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ପାକିସ୍ତାନ ରାଓ୍ଵଲପିଣ୍ଡିର ବାସିନ୍ଦା ସାହେବ ଅହମଦ। ସେ ନିଜ ପତ୍ନୀଙ୍କ ପାଇଁ ଚନ୍ଦ୍ରରେ ୧ ଏକର ଜାଗା କିଣିଛନ୍ତି। ଇଣ୍ଟରନ୍ୟାସ୍‌ନାଲ ଲୁନାର ଲ୍ୟାଣ୍ଡସ୍ ରେଜିଷ୍ଟ୍ରିଠାରୁ ୪୫ ଲକ୍ଷ ଡଲାର ବ୍ୟୟରେ ଅହମଦ ଚନ୍ଦ୍ରର ‘ସି ଅଫ୍ ଭେପର୍‌’ ନାମକ ଅଞ୍ଚଳରେ ଏହି ଜାଗା କିଣିଥିବା ଜଣାପଡ଼ିଛି। ତେବେ ଚନ୍ଦ୍ରରେ ଜାଗା କିଣିବା ପାଇଁ ଅହମଦ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କଠାରୁ ପ୍ରେରଣା ପାଇଥିବା କହିଛନ୍ତି। ସୁଶାନ୍ତ ୨୦୧୮ରେ ଚନ୍ଦ୍ର ପୃଷ୍ଠରେ ଥିବା ‘ସି ଅଫ୍ ମସ୍କୋଭି’ ନାମକ ଅଞ୍ଚଳରେ ଜାଗା କିଣିଥିଲେ।

ସାହେବ ଅହମଦ ନିଜ ପତ୍ନୀ ମଦିହାଙ୍କୁ ବିବାହ ଉପହାର ସ୍ଵରୂପ ଏହି ଜାଗା ଭେଟି ଦେଇଛନ୍ତି। ଆମେରିକା ପୋଷ୍ଟାଲ ସେବା ମାଧ୍ୟମରେ ଏହି ଜାଗା ସମ୍ପର୍କିତ ସମସ୍ତ କାଗଜପତ୍ର ଅହମଦଙ୍କ ପାଖକୁ ପଠାଇ ଦିଆଯାଇଛି। ସ୍ଵାମୀଙ୍କଠାରୁ ଏଭଳି ଉପହାର ପାଇ ମଦିହା ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି।ଏନେଇ ମଦିହା କହିଛନ୍ତି ଯେ, ସେ ଯେତେବେଳେ ସ୍ଵାମୀଙ୍କ ଏହି ନିଆରା ଉପହାର ବାବଦରେ ନିଜ ସାଙ୍ଗମାନଙ୍କୁ ଜଣାଇଲେ ସେତେବେଳେ କେହି ବିଶ୍ଵାସ କଲେନାହିଁ। କିନ୍ତୁ କାଗଜପତ୍ର ଦେଖିସାରିବା ପରେ ସମସ୍ତେ ଏକଥାକୁ ବିଶ୍ଵାସ କରିଥିଲେ।

ସବୁ କଥା ଶୁଣିବା ପରେ ତାଙ୍କର ଜଣେ ସାଙ୍ଗ ନିଜ ଭାବି ସ୍ଵାମୀଙ୍କୁ ବିବାହ ଉପହାର ସ୍ଵରୂପ ଚନ୍ଦ୍ରରେ ଏକ ଜାଗା କିଣିଦେବାକୁ ଇଚ୍ଛା କରିଥିବା ମଦିହା କହିଛନ୍ତି।ସୁଶାନ୍ତଙ୍କଠାରୁ ପ୍ରେରଣା ପାଇ ଗତ ବର୍ଷ ଅକ୍ଟୋବର ମାସରେ ବିହାରର ନୀରଜ କୁମାର ନାମକ ଜଣେ ବ୍ୟବସାୟୀ ଚନ୍ଦ୍ରରେ ୧ ଏକର ଜାଗା କିଣିବାକୁ ଆବେଦନ କରିଥିଲେ। ଅନେକ କାଗଜପତ୍ର କାମ ପରେ ତାଙ୍କୁ ଚନ୍ଦ୍ରରେ ଜାଗା ମିଳିଥିଲା।

ତେବେ ଖାଲି ସୁଶାନ୍ତ ନୁହନ୍ତି, ଅଭିନେତା ଟମ୍‌ କ୍ରୁଜ୍, ଶାହରୁଖ ଖାନଙ୍କ ସମେତ ବହୁ ସେଲିବ୍ରିଟି ଚନ୍ଦ୍ରରେ ଜାଗା କିଣିସାରିଛନ୍ତି।

Comment