ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ସଦର ପଞ୍ଚାୟତର ମୁଖ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଦିନେ କି ଦୁଇଦିନ ନୁହେଁ, ବର୍ଷ ବର୍ଷ ଧରି ରାସ୍ତା ଉପରେ ବର୍ଷା ଜଳ ଜମି ରହି ଏକ ପ୍ରକାର କୁତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ମାସ ତମାମ ରାସ୍ତା ଉପରେ ଏଭଳି ପରିସ୍ଥିତି ଉପୁଜୁଥିବାରୁ ଜନସାଧାରଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ଅଞ୍ଚଳଗୁମ୍ମା ପଞ୍ଚାୟତ ସଦର ମହକୁମା ଦେଇ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ପାଞ୍ଚ ବର୍ଷ ପୂର୍ବେ ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ମଇଦଲ ପୁରକୁ ସଂଯୋଗ କରୁଛି। ଦୈନିକ ଶହ ଶହ ଲୋକ ଏହି ରାସ୍ତା ଦେଇ ଯାତାୟତ କରୁଥୁବା ବେଳେ ରାସ୍ତା ଖରାପ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ମଧ୍ୟ ରାସ୍ତାର ରକ୍ଷଣାବେକ୍ଷଣ ଦିଗରେ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।
ଏହି ରାସ୍ତା ଦେଇ ଯାତ୍ରୀମାନେ ଖରା ଏବଂ ଶୀତ ଦିନେ ଯେନତେନ ପ୍ରକାରେ ଯାତାୟତ କରୁଥିବା ବେଳଏ ବର୍ଷା ଦିନେ ଅବସ୍ଥା ସାଙ୍ଘାତିକ ହୋଇପଡ଼ୁଛି। ରାସ୍ତା ଉପରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ବର୍ଷା ଜଳ ଜମି ରହି ଏକ ଅପରିଷ୍କାର ପରିବେଶ ସୃଷ୍ଟି କରିଛି।
ଅଞ୍ଚଳଗୁମ୍ମାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ଥିବା ଯୋଗୁଁ ଅନେକ ପଞ୍ଚାୟତର ଲୋକେ ଏଠାକୁ ଆସିଥାନ୍ତି। ହେଲେ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖ ଦେଇ ଯାଇଥିବା ରାସ୍ତା ଉପରେ କାଦୁଅ ହୋଇ ପାଣି ଜମି ରହୁଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଅଞ୍ଚଳଗୁମ୍ମା ଗ୍ରାମର ହାଟପଦା ଛକଠାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି।
ଅନ୍ୟପଟେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନେଇଥୁବା ସମ୍ପୃକ୍ତ କମ୍ପାନି ପାଇପ୍ ପୋତିବା ପାଇଁ ରାସ୍ତା ପାର୍ଶ୍ୱରେ ମାଟି ଖୋଳି ଛାଡ଼ି ଦେଇଥିବାରୁ ପିଚୁ ରାସ୍ତାଟି କାଦୁଅ ରାସ୍ତାରେ ପରିଣତ ହୋଇଛି। ବାରମ୍ବାର ଅଭିଯୋଗ ସତ୍ତ୍ଵେ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି ଦିଗରେ ଦୃଷ୍ଟି ନଦେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।
ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳଗୁମ୍ମା ସରପଞ୍ଚ ସୂର୍ଯ୍ୟ ନାରାୟଣ ରନ୍ଧାରୀଙ୍କ ସମେତ ସୁବ୍ରତ ଚୌଧୁରୀ, ବିକାଶ ଚୌଧୁରୀ, ବୀରେନ୍ଦ୍ର ଚୌଧୁରୀ, କୃଷ୍ଣ ରାଉତ, ପ୍ରହଲ୍ଲାଦ ପ୍ରଧାନ, ରମାକାନ୍ତ ବିଶୋଇ ପ୍ରମୁଖ ଦାବି କରିଛନ୍ତି।


















