ଓଡ଼ିଶାଲାଇଭ୍ ବ୍ୟୁରୋ

“ସେ ମୋ ସହ ଚିଟିଂ କରିଛନ୍ତି। ମତେ ଜାଣି ଜାଣି ଲୁଡୁ ଖେଳରେ ହରାଇଛନ୍ତି। ତାଙ୍କୁ ଆଉ ମୁଁ ବାପା ଡାକିବିନି। ମୋ ବିଶ୍ୱାସରେ ସେ ବିଷ ଦେଇଛନ୍ତି। ଏବେ ଯାହା କରିବ ସବୁ କୋର୍ଟ କରିବ” ମଧ୍ୟପ୍ରଦେଶ ଇନ୍ଦୋରରେ ନିଜ ବାପାଙ୍କ ବିରୋଧରେ ଏମିତି ଏକ ଅଜବ ଅଭିଯୋଗ କରିଛନ୍ତି ତାଙ୍କ ଝିଅ।

କରୋନା ପାଇଁ ହୋଇଥିବା ଲକଡାଉନ ଭିତରେ ଲୁଡୁ ଖେଳର ଚାହିଦା ଚାରିଆଡ଼େ ବେଶ୍ ବଢ଼ିଯାଇଛି। ଦିନ ହେଉ କି ରାତି ପରିବାର ଲୋକଙ୍କ ସହ ଜମୁଛି ଲୁଡୁ ଖେଳର ଆସର। ହେଲେ ଏହି ଲୁଡୁ ଖେଳ ଯେ କେବେ ବାପ ଝିଅଙ୍କ ସଂପର୍କକୁ ଭାଙ୍ଗି ଦେଇପାରେ ଏପରି ଖବର ବୋଧ ହୁଏ କେବେ ଆପଣ ଶୁଣି ନଥିବେ।

ତେବେ ମଧ୍ୟପ୍ରଦେଶ ଇନ୍ଦୋର ସହରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଇନ୍ଦୋରର ଜଣେ ୨୪ ବର୍ଷୀୟ ଯୁବତୀ ତାଙ୍କ ଭାଇ, ଭଉଣୀ ଆଉ ବାପାଙ୍କ ସହ ବସି ଲୁଡୁ ଖେଳୁଥିଲେ। ଖେଳ ଶେଷକୁ ବାପା ତାଙ୍କ ଦାନ ଗୋଟିକୁ ଆଉଟ କରି ଖେଳରେ ଝିଅକୁ ହରାଇ ଦେଇଥିଲେ। ମାତ୍ର ବାପା ତାଙ୍କୁ ଏପରି ହରାଇବାକୁ ବରଦାସ୍ତ କରିପାରିଲେ ନାହିଁ ଯୁବତୀ ଜଣକ। ବାପା ତାଙ୍କ ବିଶ୍ଵାସରେ ବିଷ ଦେଇଛନ୍ତି। ତେଣୁ ଆଉ ସେ ତାଙ୍କୁ ବାପା ବୋଲି ଡାକିବେ ନାହିଁ ବୋଲି ଯୁବତୀ ଜଣଙ୍କ ସ୍ଥିର କଲେ।ଘଟଣା କେବଳ ଏତିକିରେ ସମାପ୍ତ ହୋଇ ନଥିଲା। ବାପାଙ୍କ ଉପରେ ରାଗି ଯାଇ ଯୁବତୀ ଜଣଙ୍କ ଫ୍ୟାମିଲି କୋର୍ଟର ଦ୍ଵାରସ୍ଥ ମଧ୍ୟ ହୋଇଥିଲେ। ବାପାଙ୍କ ନାଁରେ କୋର୍ଟରେ ମାମଲା ରୁଜୁ ପରେ କୋର୍ଟ ପକ୍ଷରୁ ଯୁବତୀଙ୍କ ପାଇଁ କାଉନସେଲର ନିଯୁକ୍ତ କରାଯାଇଛି।

Comment