ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ତାତି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଳା ବିଲ୍ କହି କପି ଚିରିଦେଲେ ତାରା।

କରୋନା କଟକଣା ଭିତରେ ମଙ୍ଗଳବାର ନୂଆ ରୂପରେ ବସିଛି ବିଧାନସଭା। ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ। ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ହୋଇଥିବା କୋଭିଡ୍ ଟେଷ୍ଟରେ ୧୯ ଜଣ ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ମିଶାଇ ଏଯାବତ୍ ୫୧ ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ପ୍ରଥମ ଦିନରେ ଆନୁଷଙ୍ଗିକ ନିରାପତ୍ତା ବ୍ୟବସ୍ଥା ଓ ସତର୍କତା ସହ ମୋଟ ୯୫ ଜଣ ବିଧାୟକ ଅଧିବେଶନରେ ସାମିଲ ହୋଇଥିଲେ। ଗୃହରେ ୮୫ ଜଣ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନ୍ସରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଏବଂ ଲୋକସଭା ଭବନ ଓ ଜିଲା ମୁଖ୍ୟାଳୟରୁ ଅନ୍ୟମାନେ ଯୋଗ ଦେଇଥିଲେ। ସମସ୍ତେ ପିନ୍ଧିଥିଲେ ହେଡ୍ ସିଲ୍ଡ, ମାସ୍କ।

ଆଗତ ହେଲା ଶୋକପ୍ରସ୍ତାବ

ଅଧିବେଶନ ଆରମ୍ଭରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮ ଜଣ ଦିବଂଗତ ନେତା, କୋଭିଡ୍ ଯୋଦ୍ଧା, ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ପରଲୋକଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତଙ୍କ ପାଇଁ ଶୋକବ୍ୟକ୍ତ କରାଯାଇଥିଲା।

ଉପସ୍ଥାପନ ହେଲା ୭ ବିଲ୍, ଆରମ୍ଭରୁ ଗୃହରେ ତାତି

ଗୃହରେ ଶାସକ ଦଳରୁ ପକ୍ଷରୁ ୭ଟି ବିଲ୍ ଉପସ୍ଥାପନ କରାଯାଇଥିଲା। ବିରୋଧୀ ଦଳ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରି ଆରମ୍ଭରୁ ଗୃହ ସରଗରମ ରହିଥିଲା। ଉଭୟ ବିଜେପି ଓ କଂଗ୍ରେସ ଏହା ବିରୋଧରେ ହଟ୍ଟଗୋଳ କରିଥିଲେ। ଅନ୍ୟପକ୍ଷରେ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ଉଠାଇଥିଲେ ବିରୋଧୀ। ପ୍ରିଭିଲେଜ ନୋଟିସ ଆକାରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇବା ସହ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଥିଲେ। ନିର୍ଦ୍ଦିଷ୍ଟ କମ୍ପାନିକୁ କାହିଁକି ବ୍ଲାଙ୍କ ଚେକ୍ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିବା ସହ ସରକାର ଏହାର ଉତ୍ତର ରଖିବା ପାଇଁ ଦାବି କରିଥିଲେ।

ବିଲ୍ ଚିରିଦେଲେ ତାରା ବାହିନୀପତି

ଗୃହରେ ମଙ୍ଗଳବାର ଉପସ୍ଥାପିତ ହୋଇଥିବା ୭ଟି ବିଲ୍‌ରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। ଏହି ବିଲକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି। ଏହାକୁ କଳା ବିଲ୍ କହି କପି ଚିରିଦେଲେ ବିଧାୟକ ତାରାପ୍ରସାଦ ବାହିନୀପତି। ସିଲେକ୍ସନ କମିଟିକୁ ବିଲ୍ ପଠାଇବା ପାଇଁ ସେ ଦାବି କରିଥିଲେ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ପ୍ରବଳ ବିରୋଧ

ବିଲ୍ ଉପସ୍ଥାପନ ହେବା ପରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଏହାକୁ ବିରୋଧ କରି କହିଥିଲେ ଯେ ବିଲ୍ ଆଣିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। ତରବରିଆ ଭାବେ ଏହାକୁ ପାରିତ କରିବା ପାଇଁ ଉପସ୍ଥାପନ କରାଯାଇଛି। ଏହି ବିଲ୍ ଆସିଲେ ସରକାରଙ୍କ ବିନା ବିଶ୍ୱବିଦ୍ୟାଳୟର ପତ୍ର ବି ହଲିବ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକଙ୍କ ମଧ୍ୟରେ ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେପି ବିଧାୟକ ପ୍ରଦୀପ୍ତ ନାୟକ, ମୁକେଶ ମହାଲିଙ୍ଗ ଏହି ବିଲ୍‌କୁ ବିରୋଧ କରିଛନ୍ତି।

କାହିଁକି ଏହି ବିଲ୍‌କୁ ବିରୋଧ

କୁହାଯାଉଛି ଯେ ଏହି ବିଲ୍ ବିଶ୍ୱବିଦ୍ୟାଳୟରୁ ସିନେଟ୍‌କୁ ଉଚ୍ଛେଦ କରିବା ସହ କୁଳପତିଙ୍କ କ୍ଷମତାକୁ ଗୌଣ କରିବ। ରାଜନୈତିକ ହସ୍ତକ୍ଷେପ ବଢ଼ିବ। ଏଥିରେ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ବିରୋଧ ହୋଇଛି। ବିଶ୍ୱବିଦ୍ୟାଳୟକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯେଉଁ ଅନୁଦାନ ଦେଉଥିଲେ ଓ ଖର୍ଚ୍ଚ ହେଉଥିଲା, ତାହାର ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ଏବେ ଏହି ବିଲ୍ ଦ୍ୱାରା ଏହି ରିପୋର୍ଟ ଉପସ୍ଥାପିତ ହେବା ବଦଳରେ କେବଳ ୱେବସାଇଟରେ ରହିବ। ଫଳରେ ଏହା ଦୁର୍ନୀତିକୁ ପ୍ରଶ୍ରୟ ଦେବ ବୋଲି ବିରୋଧୀଙ୍କ ମତ।

ବିଲ୍ ଦ୍ୱାରା କ୍ଷୁଣ୍ଣ ହେବନି ସ୍ୱାୟତ୍ତତା: ଅରୁଣ

ବିରୋଧ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହକୁ ଅବଗତ କରିଥିଲେ ଯେ ଏହି ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟ ସ୍ୱାଧୀନତା କ୍ଷୁଣ୍ଣ ହେବନାହିଁ। ୟୁନିଭର୍ସିଟି ଆକ୍ଟ ଅନୁସାରେ ସବୁ ବିଶ୍ୱବିଦ୍ୟାଳୟ ଚାଲିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏହି ବିଲ୍‌ରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ୩ ବର୍ଷରେ ରାଜ୍ୟ ସରକାର ଏଥିପାଇଁ ୧୦୩୪ କୋଟି ଅନୁଦାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here