ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ଖରାପ କରୋନା ଜିଲ୍ଲା ଭିତରେ ଖୋର୍ଦ୍ଧା ରହିଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧାର ସ୍ଥାନ ୧୨ରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରେ ୧୦ ଲକ୍ଷ ଲୋକଙ୍କ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୭ ହଜାର ୬୦୯। ଏହି ଗଣତିରେ ସବା ଉପରେ ରହିଛି ପୁନେ। ଏହି ଜିଲ୍ଲାରେ ଦଶ ଲକ୍ଷ ଲୋକଙ୍କ ଭିତରେ ପଜିଟିଭ ସଂଖ୍ୟା ୩୧,୬୩୫।
ଖାଲି ସେତିକି ନୁହେଁ, ଓଡ଼ିଶାର ମୋଟ କରୋନା ଅକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ଭାଗ ସବୁଠୁ ଅଧିକ। ରାଜ୍ୟର ୨ ଲକ୍ଷ ୩୦ ହଜାର ମାମଲା ଭିତରୁ ଖୋର୍ଦ୍ଧାର ଭାଗ ପ୍ରାୟ ୧୮ ପ୍ରତିଶତ। ପୁନଶ୍ଚ ଏହି ୧୮ ପ୍ରତିଶତ ଭିତରେ ଭୁବନେଶ୍ୱରର ଭାଗ ହେଉଛି ୬୦ ପ୍ରତିଶତ। ଅର୍ଥାତ ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ଵର ଏବେ ରାଜ୍ୟର କରୋନା ହଟସ୍ପଟ। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ରାଜ୍ୟର କରୋନା ରୋଗୀଙ୍କ ଭିତରେ ଦୈନିକ ୪ ହଜାର କେବଳ ଖୋର୍ଦ୍ଧା ଜିଲ୍ଲାରୁ ହିଁ ବାହାରିଥିଲେ।
ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଯୁକ୍ତି କିନ୍ତୁ ଭିନ୍ନ। ତାଙ୍କ ମତରେ ରାଜ୍ୟ ବାହାରୁ ଅନେକେ ଆସି ଭୁବନେଶ୍ୱରରେ ଟେଷ୍ଟ କରାଉଛନ୍ତି ଏବଂ ସେମାନଙ୍କୁ ଷ୍ଟେଟ ପୁଲରେ ହିସାବ କରାଯାଉଛି। ସେହି କାରଣରୁ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ପ୍ରତୀୟମାନ ହେବା ସ୍ଵାଭାବିକ। ସେ ଆହୁରି କହିଛନ୍ତି ଯେ ଟେଷ୍ଟ ଓ ପଜିଟିଭ ହାର ମାତ୍ର ୧୦ ପ୍ରତିଶତ।ତେବେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ହେଉଛି ଲୋକେ କରୋନାର ନିୟମ ଆଦୌ ମାନୁନାହାନ୍ତି।

Comment