ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବନଖଣ୍ଡ ଓ ବନ୍ୟପ୍ରାଣୀ ଡିଭିଜନ କର୍ମଚାରୀଙ୍କ ଉଦ୍ୟମରେ ଶନିବାର ୭ ଜଣ କାଠ ଚୋରଙ୍କୁ ଗିରଫ କରାଯାଇଛି। ଦଶପଲ୍ଲା ଅଞ୍ଚଳରୁ ବେଆଇନଭାବେ କାଠ ଚୋରି କରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ପରେ ପୋଲିସ ପକ୍ଷରୁ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ବାଣିଗୋଛା ପଶ୍ଚିମ ବନାଞ୍ଚଳ ଅଧିକାରୀ ଶନିବାର ଭୋର ସମୟରେ ୫ଜଣ କାଠ ଚୋରଙ୍କୁ ସନେ୍ଦହରେ ଅଟକାଇ ଥିଲେ। ପରେ ବନଖଣ୍ଡ ଅଧିକାରୀଙ୍କ ଜେରା ପରେ ସେମାନେ ପୂର୍ବଦିନ ରାତିରେ ଟାକରା ନିକଟସ୍ଥ ଦୁର୍ଗାପ୍ରସାଦ ଜଙ୍ଗଲରୁ ଗଛ କାଟିଥିବା ଜଣା ପଡ଼ିଥିଲା। ଏହାପରେ କାଠ ଚୋରି ମାମଲାରେ ୫ ଜଣଙ୍କୁ ବନବିଭାଗ ଗିରଫ କରିଥିଲା।  ପରେ ଦଶପଲ୍ଲା ନିକଟସ୍ଥ ଦୂଆରଗାଁରେ କିଛି ଲୋକଙ୍କ ଘରେ ଚୋରା କାଠ ପଟା ଓ କାଠରୁ ତିଆରି ମୂଲ୍ୟବାନ ଖଟ ପଲଙ୍କ ମହଜୁଦ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଡିଏଫଓ ଏଚ୍ ଡି ଧନରାଜଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା। ତେବେ ଗାଁ ଲୋକେ ମେଳି ହୋଇ ବନକର୍ମଚାରୀଙ୍କୁ ଘେରିଯାଇଥିଲେ। ଏଣୁ ପୋଲିସକୁ ଖବର ଦିଆହୋଇଥିଲା।

ପୋଲିସ ସହାୟତାରେ କେତେକଙ୍କ ଘରୁ ଲକ୍ଷାଧିକଟଙ୍କାର କାଠ ଓ ଖଟ ପଲଙ୍କ ଆଦି ଜବତ କରାଯାଇଛି। ବେଆଇନ କାଠ ମହଜୁଦ ରଖିବା ଓ ବନକର୍ମଚାରୀଙ୍କ ତଲାସୀରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଦୁଆରଗାଁର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂଚନା ଦେଇଛି।

Comment